ମମତା ବାନାର୍ଜୀଙ୍କୁ ରାମାୟଣ ପୁସ୍ତକ ପଠାଇଲେ ବିଜେପି ବିଧାୟକ : କହିଲେ, ‘ଦିଦି ଏହାକୁ ପଢନ୍ତୁ, ସଦବୁଦ୍ଧି ମିଳିବ’

Published By : Prameya-News7 Bureau | January 24, 2021 IST

ଭୋପାଳ ୨୪/୦୧ : ମଧ୍ୟ ପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ତଥା ବିଧାୟକ ରାମେଶ୍ବର ଶର୍ମା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣର ଏକ ପତ୍ରିକା ପଠାଇଛନ୍ତି । ଏହାକୁ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଯୋଦ୍ଧାରେ ଦୀର୍ଘ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ହେଉଛି । କିନ୍ତୁ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ମମତା ବାନାର୍ଜୀ । ରାମେଶ୍ବର ଶର୍ମା କହିଛନ୍ତି, ମମତା ବାନାର୍ଜୀ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ନାଁ ଶୁଣିବାକୁ ଘୃଣା କରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ‘ମମତା ଦିଦି ଆପଣଙ୍କୁ ଅନୁରୋଧ ଆପଣ ଜୟ ଶ୍ରୀରାମ କହିବା ଶିଖନ୍ତୁ । ଭଗବାନ ରାମଚନ୍ଦ୍ରଙ୍କର ବିରୋଧ କରିବା ବନ୍ଦ କରନ୍ତୁ । ବେଙ୍ଗଲାରେ ଏକ କାର୍ଯ୍ୟକ୍ରମରେ ଆପଣ ଭଗବାନ ଶ୍ରୀରାମଙ୍କ ଅପମାନ କରିଛନ୍ତି । ପଶ୍ଚିମବଙ୍ଗ ଜନତା ଆଗାମୀ ବିଧାନସଭା ନିର୍ବାଚନରେ ଆପଣଙ୍କୁ ଜବାବ ଦେବେ’ ।

ବିଧାୟକ ରାମେଶ୍ବର ଶର୍ମା କହିଛନ୍ତି, ‘ମମତା ଦିଦି ଭଗବାନ ରାମଙ୍କର ନାମ ଜପନ୍ତୁ । ଆପଣଙ୍କୁ ରାମାୟଣର ଏକ ପୁସ୍ତକ ପଠାଉଛି । ରାମାୟଣ ବିଷୟରେ ପଢନ୍ତୁ । ଆଶା କରୁଛି ଆପଣଙ୍କୁ ସଦବୁଦ୍ଧି ମିଳିବ । ଯେପରି ସାରା ବିଶ୍ବରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅଛନ୍ତି ସେହିଭଳି ରାମାୟଣ ପଢିକି ଆପଣ ମଧ୍ୟ ଭକ୍ତ ହୋଇଯିବେ ଏବଂ ଜୟ ଶ୍ରୀରାମ କହିବାକୁ ସଙ୍କୋଚ କରିବେ ନାହିଁ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.