ଚର୍ଚ୍ଚାରେ ମଧ୍ୟପ୍ରଦେଶ ଉପନିର୍ବାଚନ, ‘T’ ଟ୍ବିଟ୍ କରି ସସ୍ପେନ୍ସ ବଢ଼ାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ
12/09/2020 at 9:05 PM

ଭୋପାଳ ୧୨/୦୯: ମଧ୍ୟପ୍ରଦେଶରେ ୨୭ ବିଧାନସଭା ସିଟ୍ରେ ଉପନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି। ବିଜପେି ପକ୍ଷରୁ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଚାର ଦାୟୀତ୍ବ ଗ୍ରହଣ କରିଛନ୍ତି। ଏହାରି ଭିତରେ ‘T’ ଟ୍ବିଟ୍ କରି ସସ୍ପେନ୍ସ ଖେଳାଇଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆଙ୍କ ଟ୍ବିଟ୍ରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ଟ୍ବିଟ୍ର ୟୁଜର ପଚାରିଛନ୍ତି ‘ଟାଇଗର୍ ନା ଆଉ କିଛି..।’
ଏହା ପୂର୍ବରୁ ସିନ୍ଧଆ କମଲନାଥଙ୍କୁ ଟାର୍ଗେଟ କରି କହିଥିଲେ, ଗ୍ବାଲିୟର-ଚମ୍ବଲ କଂଗ୍ରେସକୁ ଶାସନ ଭାର ପ୍ରଦାନ କରିଛି କିନ୍ତୁ କମଲନାଥ ଏହି କ୍ଷେତ୍ର ସହ ଅଧିକ ଭେଦଭାବ କରିଛନ୍ତି। ସେଠାକର ବିଧାୟକଙ୍କ ସହ କଥା ହେବାକୁ କମଲନାଥଙ୍କ ପାଖରେ ସମୟ ନାହିଁ ବୋଲି ଅଭିଯୋଗ କରିଥିଲେ ସିନ୍ଧିଆ ।
ଏହାସହ ସିନ୍ଧିଆ ନିଜର ପୁରୁଣା ସାଥି କମଲନାଥ ଓ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରି କହିଥିଲେ, ‘ଯଦି କେହି ଲୋକମାନଙ୍କୁ ଧୋକା ଦେଇଛନ୍ତି ସେମାନେ ହେଉଛନ୍ତି କମଲନାଥ ଓ ଦିଗବିଜୟ ସିଂହ। ୧୫ ମାସ ପରେ ବି କୃଷକଙ୍କ ଋଣ ଛାଡ଼ କରିନାହାନ୍ତି। କିନ୍ତୁ ଶିବରାଜ ସିଂହଙ୍କ ସରକାର ୮ ହଜାର କୋଟିର ଋଣ ଛାଡ଼ କରିଥିଲେ।’
ସୂଚନାଯୋଗ୍ୟ ଯେ, କଂଗ୍ରେସର ୨୨ ଜଣ ବିଧାୟକ ହଠାତ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ବହୁମତ ସାବ୍ୟସ୍ତ କରିବା ପୂର୍ବରୁ ୨୦ ମାର୍ଚ୍ଚରେ କମଲନାଥ ଇସ୍ତଫା ଦେଇଥିଲେ। ପୁଣି ୨୩ ମାର୍ଚ୍ଚରେ ଶିବରାଜ ସିଂହଙ୍କ ନେତୃତ୍ବରେ ମଧ୍ୟପ୍ରଦେଶରେ ବିଜେପି ସରକାର କରିଥିଲା। ଏହାପରେ ଅନ୍ୟ ୩ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଥିଲେ।