ମଧ୍ୟପ୍ରଦେଶ କୂଅ ଭୁଶୁଡିବା ଘଟଣା : ଶିଶୁକୁ ବଞ୍ଚାଇବାକୁ ଯାଇ ୧୧ ମୃତ, ୧୯ ଜଣଙ୍କୁ କରାଗଲା ଉଦ୍ଧାର

Published By : Prameya-News7 Bureau | July 17, 2021 IST

ଭୋପାଳ,୧୭ ।୦୭: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ କୂଅରେ ପଡିଯାଇଥିବା ଜଣେ ବାଳକକୁ ବଞ୍ଚାଇବାକୁ ଯାଇ ୩୦ ଜଣ ଗ୍ରାମବାସୀ ଖସିପଡିଛନ୍ତି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଥିଲା । ଜିଲ୍ଲାର ଗଞ୍ଜ ବସୋଦା ଥାନା ଅନ୍ତର୍ଗତ ଲାଲପଥର ଅଞ୍ଚଳରେ ଗୁରୁବାର ରାତି ୯ଟା ବେଳେ ଏହି ଅଘଟଣ ଘଟିଥିଲା ।

ସୂଚନା ଅନୁସାରେ ରବି ଅହିରୱାର ନାମକ ଜଣେ ୧୪ ବର୍ଷୀୟ ବାଳକ ସେହି କୂଅରୁ ପାଣି କାଢ଼ୁଥିବା ବେଳେ ଖସିପଡିଥିଲା । ତାକୁ ବଞ୍ଚାଇବାକୁ ଲୋକମାନେ କୂଅ ଟିକଟରେ ରୁଣ୍ଡ ହୋଇଯାଇଥିଲେ । କିଛି ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା ବେଳେ ଆଉ କିଛି କୂଅ ନିକଟରେ ଠିଆ ହୋଇ ତାହା ଦେଖୁଥିଲେ । କିନ୍ତୁ ଭାର ସମ୍ଭାଳି ନପାରି ହଠାତ୍‌ କୂଅ ଦବି ଯାଇଥିଲା । ଫଳରେ ସେଠାରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଓ ଦେଖୁଥିବା ସବୁ ଲୋକ କୂଅ ଭିତରକୁ ଖସିପଡିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ନିୟୋଜିତ ଥିବା ଏକ ଟ୍ରାକ୍ଟର ଦବି ଯାଇଥିଲା ଏବଂ ସେଥିରେ ଥିବା ୪ ଜଣ ପୁଲିସ କର୍ମଚାରୀ ମଧ୍ୟ କୂଅ ଭିତରକୁ ଖସି ପଡିଥିଲେ । କୂଅର ଗଭୀର ପ୍ରାୟ ୫୦ ଫୁଟ ହେବ ଏବଂ ସେଥିରେ ୨୦ ଫୁଟ୍‌ ଉଚ୍ଚରେ ପାଣି ରହିଥିଲା । ଏ ସମ୍ପର୍କରେ ଖବର ପାଇ ଉଭୟ ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ୍‌ ଟିମ୍‌ ସେଠାରେ ପହଞ୍ଚି କୂଆ ଭିତରେ ପଡିଯାଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ସେମାନେ ଜଣ ଜଣ କରି ୧୯ ଜଣଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଅବଶିଷ୍ଟ ନିଖୋଜ ଲୋକଙ୍କ ତଲାସୀ ଆରମ୍ଭ କରାଯାଇଥିଲା । ତେବେ ଉଦ୍ଧାରକାରୀ ଦଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ ଜଣ ଜଣ କରି ୧୧ ଜଣଙ୍କ ମୃତଦେହ କୂଅ ମଧ୍ୟରୁ ବାହାର କରିଥିଲେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଗତକାଲି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଘଟଣାରେ ଶୋକବ୍ୟକ୍ତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.