ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ଫେଲ୍: ଗୋଟିଏ ଗୋଡ ହରେଇବା ପରେ ବି ଭାଙ୍ଗି ପଡିନଥିଲେ, ସାଇକେଲରେ ପୁରା କଲେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା

Published By : Prameya-News7 Bureau | January 15, 2021 IST

ଭୋପାଲ ୧୫/୦୧ : କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ ବାଧା ବିଘ୍ନ ହାର ମାନିଥାଏ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶରେ। ମଧ୍ୟ ପ୍ରଦେଶର ୨୫ ବର୍ଷୀୟ ଯୁବତୀ ତାନ୍ୟା ଡାଗା ଏକ ଆଶ୍ଚର୍ଯ୍ୟଜନକ କାରନାମା କରିଛନ୍ତି । ରାୟଗଡ଼ ଜିଲ୍ଲା ବ୍ୟାବରାର ତାନ୍ୟା ୨ ବର୍ଷ ପୂର୍ବରୁ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ ହାଇଅ ଦେଇଥିଲେ। ତଥାପି ସେ କେବେ ହାର ମାନିନଥିଲେ। ସେ ଗୋଟିଏ ଗୋଡରେ ସାଇକେଲ ଚଲାଇ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇଛନ୍ତି। ମାତ୍ରା ୪୩ ଦିନରେ ସେ ଦେଶର ଦୁଇ ପ୍ରାନ୍ତ ମଧ୍ୟରେ ୨୮୦୦ କିଲୋମିଟର ଯାତ୍ରା କରି ଉଦାହରଣ ସୃଷ୍ଟି କରିଛନ୍ତି।

{"id":392801,"sizeSlug":"large","linkDestination":"none"}

ଯାତ୍ରା ସମୟରେ ତାନ୍ୟାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା ଯେଉଁଥିପାଇଁ ତାଙ୍କୁ ଯାତ୍ରା ମଝିରେ ଛାଡି ଆସିବାକୁ ପଡିଥିଲା। କିନ୍ତୁ ସେ ତଥାପି ହାରିନଥିଲେ ଓ ପୁଣି ଯାତ୍ରା ଆରମ୍ଭ କରିଥିଲେ। ଡିସେମ୍ବର ୩୧ ତାରିଖରେ ଯାତ୍ରା ପୁରା କରି ମଧ୍ୟ ପ୍ରତାଦେଶ ଫେରିଯାଇଥିଲେ। ଏତେ କମ ସମୟରେ ଯାତ୍ରା ପୁରା କରି ସେ ଦେଶର ପ୍ରଥମ ମହିଳା ସାଇକେଲିଷ୍ଟ ହୋଇଛନ୍ତି। ପିତାଙ୍କୁ ମନେପକାଇ ସେ କହିଛନ୍ତି ଯେ ତାଙ୍କ ପିତା ସବୁବେଳେ କହୁଥିଲେ ଯେଉଁ କାମ କରିବାକୁ ମନସ୍ଥ କରିଛ ସେହି କାମ ପୁରା କରିକି ହିଁ ଛାଡିବା କଥା। ପିତାଙ୍କ ସେହି କଥା ତାଙ୍କୁ ସାହସ ଦେଇଥିଲା ଲକ୍ଷ୍ୟ ପୁରା କରିବାକୁ।

{"id":392803,"sizeSlug":"large","linkDestination":"none"}

୨୦୧୮ରେ ତାନ୍ୟା ଏମବିଏ ପଢିବାକୁ ଡେରାଡୁନ ଯାଇଥିଲେ। ଏକ କାର ଦୁର୍ଘଟଣାରେ ତାଙ୍କ ବାମ ଗୋଡ କଟିଗଲା। ଡେରାଡୁନରୁ ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଦୁଇଟି ଅପରେସନ ହୋଇଥିଲା। ସେଠାରୁ ତାଙ୍କୁ ପୁଣି ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୬ ମାସ ଯାଏଁ ତାଙ୍କର ଚିକିତ୍ସା ହେଲା। ପ୍ରତ୍ୟେକ ଅପରେସନରେ ତାଙ୍କୁ ୩ ହଜାର ଷ୍ଟିଚ୍ ପଡୁଥିଲା। ସେ କହିଛନ୍ତି ୬ ମାସ ଯାଏଁ ବେଡ଼ରେ ପଡି ପଡି ସେ ସବୁ ଆଶା ଛାଡି ଦେଇଥିଲେ। କିନ୍ତୁ ତାଙ୍କ ପିତା ତାଙ୍କର ମନୋବଳ ବଢାଇଥିଲେ। ସୁସ୍ଥ ହେବାପରେ ୨୦୨୦ ନଭେମ୍ବର ୧୯ ତାରିଖରେ ସେ ନିଜ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ କିଛି ଦିନ ପରେ ହିଁ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା। ଯେଉଁଥିପାଇଁ ତାଙ୍କୁ ଅଭିଯାନ ଅଧାରେ ଛାଡି ହାଇଦ୍ରାବାଦ ଯିବାକୁ ପଡିଥିଲା। ପିତାଙ୍କ ମୃତ୍ୟୁରେ ସେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପିତାଙ୍କ ସ୍ବପ୍ନ ପୁରା କରିବାକୁ ସେ ପୁଣି ଅଭିଯାନ ଆରମ୍ଭ କଲେ ଓ ସଫଳ ବି ହେଲେ।

{"id":392804,"sizeSlug":"large","linkDestination":"none"}

ଗୋଡ କଟିଯିବା ପରେ ତାନ୍ୟା ଆଦିତ୍ୟ ମେହତା ଫାଉଣ୍ଡେସନ (AMF) ସହ ଯୋଡି ହୋଇଥିଲେ ଓ ଗୋଟିଏ ଗୋଡରେ ସାଇକିଲିଂ ଆରମ୍ଭ କରିଥିଲେ। ସାଇକେଲ ଚଲାଇବା ବେଳେ ଅନେକ ସମୟରେ ତାଙ୍କ ଗୋଡରୁ ରକ୍ତସ୍ରାବ ମଧ୍ୟ ହେଉଥିଲା ବୋଲି ସେ କହିଛନ୍ତି। ଫାଉଣ୍ଡେସନ ଜରିଆରେ ତାଙ୍କୁ ବିଏସଏଫ ଦ୍ୱାରା ଆୟୋଜିତ କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଇନଫିନିଟି ରାଇଡ ସାଇକ୍ଲିଂ ବିଷୟରେ ସୂଚନା ପାଇଥିଲେ। ୩୦ ଜଣିଆ ସାଇକେଲିଷ୍ଟଙ୍କ ଗ୍ରୁପରେ ୯ଜଣ ପାରା ସାଇକେଲିଷ୍ଟ ଥିଲେ। ସାରା ଦେଶରେ ପାରା ସ୍ପୋର୍ଟ୍ସ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପାଣ୍ଠି ସଂଗ୍ରହ ପାଇଁ ଏହା ଏକ ଜନ ସମର୍ଥନ ଅଭିଯାନ।

{"id":392800,"sizeSlug":"large","linkDestination":"none"}

ତାନ୍ୟାଙ୍କ ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ସାହସ, ଇଛାଶକ୍ତି ଆଗରେ ବାଧା ମଧ୍ୟ ନତମସ୍ତକ। ତାନ୍ୟା ରାଜ୍ୟର ମୁଣ୍ଡ ଗର୍ବରେ ଉଚ୍ଚ କରିଛନ୍ତି। ଜୀବନର ସବୁ ଚ୍ୟାଲେଞ୍ଜକୁ ପାର କରି ଏମିତି ଆଗେ ଚାଲ, ମୋର ଶୁଭକାମନା ସବୁବେଳେ ତୁମ ସହ ଅଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.