ଶିବରାଜଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଲେ ସିଲାଓ୍ବଟ ଓ ରାଜପୁତ, ସିନ୍ଧିଆଙ୍କୁ ବିରୋଧ କରି ବିଜେପିରେ ହୋଇଥିଲେ ସାମିଲ

Published By : Prameya-News7 Bureau | January 03, 2021 IST

ଭୋପାଳ ୦୩/୦୧: ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି। ମନ୍ତ୍ରୀ ମଣ୍ଡଳରେ ପୁଣି ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି। ଏମାନଙ୍କୁ ମିଶାଇ ମନ୍ତ୍ରୀମଣ୍ଡଳରେ ୩୧ ସଦସ୍ୟ ହୋଇଛନ୍ତି। ବିଧାନସଭାର ସଭ୍ୟ ସଂଖ୍ୟା ଅନୁସାରେ ମନ୍ତ୍ରୀମଣ୍ଡଳରେ ୩୬ ଜଣ ସଦସ୍ୟ ରହିପାରିବେ। ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ପାଠ ସମାରୋହରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ମନ୍ତ୍ରୀମଣ୍ଡଳ ସଦସ୍ୟ ଏବଂ ଅନ୍ୟ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅସହଯୋଗ କରି ଯେଉଁ ୨୨ ବିଧାୟକ କଂଗ୍ରେସ ଛାଡ଼ିଥିଲେ ସେଥିରେ କମଳନାଥ ସରାକରରେ ମନ୍ତ୍ରୀ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। ଗତ ୨୩ ମାର୍ଚ୍ଚରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ମାସ ପରେ ଯେଉଁ ୫ ମନ୍ତ୍ରୀ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। କିନ୍ତୁ ଉପ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଧାନସଭାର ସଦସ୍ୟ ହେବାର ବାଧ୍ୟବାଧକତା ମଧ୍ୟରେ ସେମାନେ ଇସ୍ତଫା ଦେଇଥିଲେ।

୧୦ ନଭେମ୍ବରରେ ଉପ ନିର୍ବାଚନ ଫଳାଫଳ ଆସିବା ପରେ ସିଲାଓ୍ବଟ ଓ ରାଜପୁତ ପୁଣିଥ​‌ରେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲେ। ଏଥିପାଇଁ ଖୋଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ୩ ଥର ଭେଟିଥିଲେ। କିନ୍ତୁ ବେଜିପର ପୂରୁଣା ନେତା ଏହାକୁ ବିରୋଧ କରିଥିଲେ। ପରେ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରି ଶିବରାଜ ରାସ୍ତା ବାହାର କରିଥିଲେ। ତେବେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହା ହେଉଛି ତୃତୀୟ ବିସ୍ତାର। ଏହା ପୂର୍ବରୁ ଗତ ୨୧ ଏପ୍ରିଲ୍‌ରେ ୫ ଓ ୨ ଜୁଲାଇରେ ୨୮ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.