Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର, ଶିବରାଜଙ୍କ କ୍ୟାବିନେଟ୍‌ରେ ସିଂହଭାଗ ଚାହୁଁଛନ୍ତି ଜ୍ୟୋତିରାଦିତ୍ୟ

29/06/2020 at 7:27 PM

ଭୋପାଲ ୨୯।୬ :  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଚୌହାନ ୩୦ ଜୁନ ମଙ୍ଗଳବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ। ନୂଆ କ୍ୟାବିନେଟ୍‌ରେ ୨୪ଜଣଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଆଶା କରାଯାଉଛି। ତେବେ ଏଥିଲାଗି ସୋମବାର ବିଳମ୍ବିତ ରାତ୍ରି ସୁଧା ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି। ଶିବରାଜଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରୀକ ସୂଚନା ଜାରି ହୋଇ ନାହିଁ। ହେଲେ ମନ୍ତ୍ରୀପଦବୀ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି।

ମଧ୍ୟପ୍ରଦେଶ ବିଧାନସଭାରେ ସଦସ୍ୟଙ୍କ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସର୍ବାଧିକ ୩୫ ଜଣ ମନ୍ତ୍ରୀ ହୋଇପାରିବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ଚାହିଁଲେ ୨୯ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିପାରନ୍ତି। ତେବେ ରଣନୀତି ଅନୁସାରେ କିଛି ଆସନ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖନ୍ତି। ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟଙ୍କ ମୁଖ୍ୟ ଭୂମିକା ରହିବ ବୋଲି ଏବେଠୁ ଅନୁମାନ କରାଗଲାଣି। ଏଣୁ ଜ୍ୟୋତିରାଦିତ୍ୟଙ୍କ ସହ ଦଳକୁ ଫେରିଥିବା ନେତା ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ଅଧିକ ପ୍ରାଧାନ୍ୟ ପାଇ ପାରନ୍ତି ବୋଲି ଏବେ ରାଜ୍ୟ ଦଳରେ ଆଶଙ୍କା କରାଯାଉଛି।

ତେବେ ମନ୍ତ୍ରୀମଣ୍ଡଳରେ ଦଳର ବରିଷ୍ଠ ନେତାଙ୍କ ସହ ଜ୍ୟୋତିରାଦିତ୍ୟଙ୍କ ଅନୁଗାମୀଙ୍କ ମଧ୍ୟରେ ତାଳମେଳ ଲାଗି ଉଦ୍ୟମ ଜାରିରହିଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଦେଶ ବିଜେପି ସଭାପତି ବିଷ୍ଣୁଦତ୍ତ ଶର୍ମା  ମଧ୍ୟ ଦିଲ୍ଲୀ ଯାଇଛନ୍ତି। ରାଜ୍ୟର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଲାଗି ରବିବାର ଦିଲ୍ଲୀରେ ଗହନ ବିଚାରବିମର୍ଷ ହୋଇଥିବା ବେଳେ ସୋମବାର ମଧ୍ୟ ବୈଠକ ଜାରି ରହିଥିବା ଜଣାପଡିଛି। ରାତିରେ ଶିବରାଜ ସିଂହ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟକୁ ଫେରିବେ। ଆସନ୍ତା କାଲି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ନିଶ୍ଚିତ ବୋଲି ଜଣାପଡିଛି।  

   Related Posts