ମଧ୍ୟ ପ୍ରଦେଶ ରାଜନୀତି: ୨୨ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍, ମାର୍ଚ୍ଚ ୧୫ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
14/03/2020 at 5:08 PM

ଭୋପାଳ ୧୪।୦୩: ମଧ୍ୟ ପ୍ରଦେଶରେ ଜାରି କ୍ଷମତା ଲଢେଇ ମଧ୍ୟରେ ବିଧାନସଭାର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତି କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକଙ୍କୁ ମାର୍ଚ୍ଚ ୧୫ ସନ୍ଧ୍ୟା ୫ଟା ସୁଦ୍ଧା ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି। ଏହା ପୂର୍ବରୁ ବିଧାନସଭା ବାଚସ୍ପତି ଏହି ବିଧାୟକଙ୍କୁ ଅଲଗା ଅଲଗା ତାରିଖରେ ଭେଟିବାକୁ କହିଥିଲେ। ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଯେ, ଯଦି ସମସ୍ତ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କ ସମ୍ମୁଖରେ ହାଜର ନହୁଅନ୍ତି ତେବେ କମଲନାଥ ସରକାର ଆସ୍ଥା ଭୋଟକୁ ଘୁଞ୍ଚାଇ ପାରନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟ ପ୍ରଦେଶ ବିଧାନସଭାରେ ବଜେଟ୍ ଅଧିବେଶନ ଆଗାମୀ ମାର୍ଚ୍ଚ ୧୬ରୁ ଆରମ୍ଭ ହେବାକୁ ଯାଉଛି।

ମାତ୍ର କରୋନା କାରଣରୁ ଅଧିବେଶନ ଘୁଞ୍ଚା ଯାଇପାରେ। ଶୁକ୍ରବାର କମଲନାଥ ସରକାରରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଗୋବିନ୍ଦ ସିଂହ ବିଧାନସଭା ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପିତାଙ୍କୁ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାର ବିସ୍ତୃତ ଯାଞ୍ଚ କରିବାକୁ ଦାବି କରିଛନ୍ତି। ସେ ବାଚସ୍ପତିଙ୍କୁ ସୁନିଶ୍ଚିତ କରିବାକୁ କହିଛନ୍ତି ଯେ, ଏହି ସବୁ ବିଧାୟକ ଚାପରେ ପଡି ଇସ୍ତଫା ଦେଇଛନ୍ତି ନା ସ୍ଵେଚ୍ଛାକୃତ ଇସ୍ତଫା ଦେଇଛନ୍ତି। ଉଲ୍ଲେଖନୀୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୨୨ ବିଧାୟକ ଇମେଲ୍ ଜରିଆରେ ବାଚସ୍ପତିଙ୍କୁ ନିଜର ଇସ୍ତଫା ପ୍ରଦାନ କରିଥିଲେ।
ମଞ୍ଜୁର ହୋଇ ନାହିଁ ବିଧାୟକଙ୍କ ଇସ୍ତଫା
ଅନ୍ୟପଟେ ବିଧାୟକଙ୍କ ଇସ୍ତଫା ପତ୍ର ମଞ୍ଜୁର ହୋଇ ନାହିଁ। ବାଚସ୍ପତି ବିଧାୟକଙ୍କୁ ନିଜେ ବିଧାନସଭାରେ ଉପସ୍ଥିତ ରହି ଇସ୍ତଫା ଦେବାକୁ କହିଛନ୍ତି। ସିନ୍ଧିଆଙ୍କ ଗୋଷ୍ଠୀର ୧୯ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ରହିଛନ୍ତି। ବିଧାନସଭା ବାଚସ୍ପତିଙ୍କ ଦ୍ଵାରା ନୋଟିସ୍ ଜାରି ହେବା ପରେ ସେମାନଙ୍କ ମଧ୍ୟରୁ ଛଅ ବିଧାୟକ ଶୁକ୍ରବାର ଭୋପାଳ ଆସିବାର ଥିଲା, ମାତ୍ର ପୂରା ଦିନର ଅପେକ୍ଷା ପରେ ଶେଷ ମୁହୂର୍ତ୍ତରେ ସେମାନଙ୍କ ଭୋପାଳ ଗସ୍ତ ବାତିଲ ହୋଇଥିଲା। ସିନ୍ଧିଆ ଗୋଷ୍ଠୀର ବିଧାୟକଙ୍କୁ ଭେଟିବା ଲାଗି ବିଜେପି ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁ ପହଞ୍ଚିଛନ୍ତି।

ବିଜେପି ବିଧାୟକ ହରିୟାଣାରେ, କଂଗ୍ରେସ ବିଧାୟକ ରାଜସ୍ଥାନରେ
ଏହା ପୂର୍ବରୁ କଂଗ୍ରେସର ନେତା ଜିତୁ ପଟଓ୍ଵାରୀ ମଧ୍ୟ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ବେଙ୍ଗାଲୁରୁ ପହଞ୍ଚିଥିଲେ, ମାତ୍ର ତାଙ୍କୁ ବିଧାୟକଙ୍କ ସହ ଭେଟିବାକୁ ଦିଆଯାଇନଥିଲା। ଜିତୁ ପଟଓ୍ଵାରୀଙ୍କ ପୋଲିସ ମଧ୍ୟ ଝଗଡା ହୋଇଥିଲା। ବିଜେପି ନିଜର ୧୦୬ ବିଧାୟକଙ୍କୁ ହରିୟାଣାର ମାନେସର ଏବଂ ଗୁରୁଗ୍ରାମରେ ନେଇ ରଖିଛି। ଅନ୍ୟପଟେ କଂଗ୍ରେସ ନିଜର ବଳକା ବିଧାୟକଙ୍କୁ ଜୟପୁରରେ ନେଇ ରଖିଛି। ଏସବୁ ବିଧାୟକ ଗୃହରେ ଆସ୍ଥା ଭୋଟ୍ ବେଳେ ଭୋପାଳ ପହଞ୍ଚିବେ।