ମଧ୍ୟ ପ୍ରଦେଶ ବିଧାନସଭାର ୭ ବିଧାୟକ ଓ ୬୧ କର୍ମଚାରୀ କରୋନା ଆକ୍ରାନ୍ତ, ସ୍ଥଗିତ ରହିଲା ଶୀତକାଳୀନ ଅଧିବେଶନ

Published By : Prameya-News7 Bureau | December 27, 2020 IST

ଭୋପାଳ ୨୭/୧୨ : ମଧ୍ୟ ପ୍ରଦେଶରେ ସୋମବାର ବିଧାନସଭାର ଶୀତକାଳୀନ ଅଧିବେଶନ ହେବାର ଥିଲା । କିନ୍ତୁ ଏହାର ଠିକ୍ ପୂର୍ବରୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ରବିବାର ଅନୁଷ୍ଠିତ ହୋଇଥିବା ଜରୁରୀକାଳୀନ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିରୋଧି ଦଳ ନେତା କମଳନାଥ ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତ ଥିଲେ ।

ସୂଚନା ଅନୁସାରେ କରୋନା ମାହାମାରୀ ସମୟରେ ସୋମବାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଥିଲା । ଏହି ଅଧିବେସନରେ ଲଭ୍ ଜିହାଦକୁ ନେଇ ସ୍ବତନ୍ତ୍ର ବିଲ ‘ଧର୍ମ ସ୍ବାତନ୍ତ୍ର୍ୟ ବିଧେୟକ-୨୦୨୦’ ଆଗତ ହେବାର ଥିଲା । କିନ୍ତୁ ଏହାକୁ ସର୍ବସମ୍ମତି କ୍ରମେ ସ୍ଥଗିତ ରଖାଯାଇଛି । ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପରୋତ୍ତମ ମିଶ୍ରା କହିଛନ୍ତି ‘କରୋନା ସଂକ୍ରମଣର ତାଜା ମାମଲାକୁ ଆଖି ଆଗରେ ରଖି ଶୀତକାଳୀନ ଅଧିବେଶନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଆଗାମୀ କାର୍ଯ୍ୟପନ୍ଥା ଖୁବ ଶୀଘ୍ର ସ୍ଥିର କରାଯିବ’ ।

ବିରୋଧୀ ଦଳ ନେତା କମଳନାଥ ସର୍ବଦଳୀୟ ବୈଠକ ପରେ ସୂଚନା ଦେଇଛନ୍ତି ଯେ, ‘ବିଧାନସଭା ଅଧିବେଶନ ନହୋଇପାରିଲେ ମଧ୍ୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ କରାଯାଉ । ତା ସହିତ ବିଧେୟକଗୁଡିକର ଥିବା ପ୍ରଶ୍ନଗୁଡିକର ଜବାବ ମଧ୍ୟ ଦିଆଯାଉ । ଯାହା ଫଳରେ ବିରୋଧୀଙ୍କ ସ୍ବର ସମସ୍ତଙ୍କ ପାଖରେ ପହଞ୍ଚିବ ଏବଂ ସ୍ବରକୁ ଦବାଇବାକୁ ପ୍ରୟାସ କରାନଯାଉ’।

ସୂଚନା ଅନୁସାରେ ଏହି ଅଧିବେଶନ ୨୮ ଡିସେମ୍ବରରୁ ୩୦ ଡିସେମ୍ବର ଯାଏଁ ଜାରି ରହିଥାନ୍ତା । କିନ୍ତୁ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ହିଁ ବିଧାନସଭାର ୭ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହା ସହ ବିଧାନସଭାର ୬୧ ଜଣ କର୍ମଜାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ସର୍ବସମ୍ମତିକ୍ରମେ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.