ସୋସିଆଲ ମିଡିଆରେ ପୋଷ୍ଟ ଦେଖି ନବଜାତ ଶିଶୁର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ସାଂସଦ ଅନୁଭବ ମହାନ୍ତି
30/06/2019 at 12:35 PM

କଟକ ୩୦|୬: ସୋସିଆଲ୍ ମିଡିଆରେ ଜଣେ ନବଜାତ ଶିଶୁର ଚିକିତ୍ସା ପାଇଁ ସାହାଯ୍ୟ ନିବେଦନର ପୋଷ୍ଟ ଦେଖିବା ପରେ ସହାୟତାର ହାତ ବଢାଇଛନ୍ତି ସାଂସଦ ଅନୁଭବ ମହାନ୍ତି । ସପ୍ତମ ବାଟାଲିୟନର ସିପାହୀ ଦେବାଶିଷ କର ନିଜର ନବଜାତ ଶିଶୁପୁତ୍ରର ଚିକିତ୍ସା ପାଇଁ ସୋସିଆଲ୍ ମିଡିଆରେ ନିବେଦନ କରିଥିଲେ । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ଦେବାଶିଷ ।

ଦେବାଶିଷଙ୍କ ପୁଅ ଗୁରୁତର ଅବସ୍ଥାରେ କଟକ ଶିଶୁ ଭବନରେ ଚିକିତ୍ସିତ ହେଉଛନ୍ତି । ନବଜାତ ଶିଶୁଟିର ଜନ୍ମଗତ ତ୍ରୁଟି ଥିବାରୁ ତାକୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ଶିଶୁଟିର ଅବସ୍ଥା ଗୁରୁତର ଥିଲା । ମାତ୍ର ଜରୁରିକାଳୀନ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ପରେ ମଧ୍ୟ କେହି ଶୁଣିନଥିଲେ । ଶିଶୁଟିର ଅବସ୍ଥା ଦିନକୁ ଦିନ ଗରୁତର ହେଉଥିବା ଦେଖି ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରି ଫେସବୁକରେ ପୋଷ୍ଟ କରିଥିଲେ ଦେବାଶିଷ ।

ଏହି ପୋଷ୍ଟକୁ ଦେଖି ସାଂସଦ ଅନୁଭବ ମହାନ୍ତି ତୁରନ୍ତ ଶିଶୁ ଭବନରେ ପହଞ୍ଚି ଶିଶୁଟିର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଡାକ୍ତର ମାନଙ୍କଠାରୁ ପଚାରି ବୁଝିଥିଲେ । ଏହା ସହ ଶିଶୁଟିକୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଶିଶୁ ଭବନ କର୍ତ୍ତୃପକ୍ଷଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଶିଶୁଟିର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସାଂସଦ କହିଛନ୍ତି ।