ବସ୍‌ରେ ଅନ୍ୟ ଜିଲ୍ଲାକୁ ଯାଇପାରିବେ ଶ୍ରମିକ, ଯାତାୟତ ପାଇଁ ମିଳିବ ମୁଭ୍‌ମେଣ୍ଟ ପାସ୍ : ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର ୨୬।୦୪: ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ଅସ୍ଥାୟୀ କ୍ୟାମ୍ପରେ ଶ୍ରମିକମାନେ ଫସି ରହିଛନ୍ତି । ଅନେକ ଶ୍ରମିକଙ୍କର କାର୍ଯ୍ୟସ୍ଥଳ ଅନ୍ୟ ଜିଲ୍ଲାରେ ହୋଇଥିବାରୁ କଟକଣା ଯୋଗୁ ପହଞ୍ଚି ପାରୁନାହାନ୍ତି । ସେମାନଙ୍କୁ ସୁବିଧାରେ ନେଇ ସେହି ଜିଲ୍ଲାରେ କାର୍ଯ୍ୟସ୍ଥଳରେ ପହଞ୍ଚାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ଭିତରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଶ୍ରମିକଙ୍କ ପରିବହନକୁ ଅନୁମତି ଦେଇଛନ୍ତି ।

ରାଜ୍ୟ ଭିତରେ ଶ୍ରମିକଙ୍କ ଯାତାୟାତ ଓ ପରିବହନ ନେଇ ସରକାର ଶନିବାର ଦିନ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିବା ଏହି ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି ଯେ, ରାଜ୍ୟର ସରକାରଙ୍କ ପକ୍ଷରୁ ହୋଇଥିବା ୨୬୧୦ଟି କ୍ୟାମ୍ପରେ ୮୬ହଜାର ଶ୍ରମିକ ଫସି ରହିଛନ୍ତି । ଏଥିରୁ ୧୬ହଜାର ହେଉଛନ୍ତି ଓଡିଆ ଶ୍ରମିକ ଓ ବାକି ଅନ୍ୟମାନେ ରାଜ୍ୟ ବାହାରୁ । ଫସି ରହିଥିବା ଏହି ଶ୍ରମିକମାନେ ରାଜ୍ୟ ଭିତରେ ଅନ୍ୟ ଜିଲ୍ଲାରେ ଥିବା ନିଜ କାର୍ଯ୍ୟସ୍ଥଳରୁ ଯାଇପାରିବେ । ଯେଉଁ ଏଜେନ୍ସି, ଶିଳ୍ପ ସଂସ୍ଥା ବା ଠିକାଦାର ଶ୍ରମିକଙ୍କୁ କ୍ୟାମ୍ପରୁ କାର୍ଯ୍ୟସ୍ଥଳକୁ ନେବାକୁ ଚାହୁଁଥିବେ ସେମାନେ ସ୍ୱୀକୃତିପ୍ରାପ୍ତ ବସ୍‌ରେ ନେଇପାରିବେ। ସରକାରଙ୍କ ସାମାଜିକ ଦୂରତ୍ୱ ନିୟମ ସହ ଅନ୍ୟ ସୁରକ୍ଷା ସମ୍ପର୍କିକ ପଦକ୍ଷେପ ନେବାକୁ ପଡ଼ିବ । ଶ୍ରମିକଙ୍କୁ ପରିବହନ କରିବାକୁ ଚାହୁଥିବା ଶିଳ୍ପ ସଂସ୍ଥା ଓ ଏଜେନ୍ସୀମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ପାଖକୁ ଏଥିପାଇଁ ଅନୁମତି ଆଣିବାକୁ ପଡ଼ିବ। ଜିଲ୍ଲାପାଳ ଏଥିପାଇଁ ମୁଭ୍‌ମେଣ୍ଟ ପାସ୍‌ ଦେବେ। ଏହି ଶ୍ରମିକ ପରିବହନ ପାଇଁ ଜିଲ୍ଲାପାଳ ବସ୍‌ ରିକ୍ୟୁଜିସନ୍‌ କରି ନିୟୋଜିତ କରିପାରିବେ । ଏ ବାବଦରେ ଖର୍ଚ୍ଚ ସଂପୃକ୍ତ ଶିଳ୍ପ ସଂସ୍ଥା, ଏଜେନ୍ସି ବା ଠିକାଦାର ବହନ କରିବେ ।

ସେହିଭଳି ଯେଉଁଠାରେ ଫସିଥିବା ଶ୍ରମିକମାନେ କୌଣସି ନିଦ୍ଦିଷ୍ଟ ଶିଳ୍ପ ସଂସ୍ଥା ବା ଏଜେନ୍ସୀ ଅଧୀନରେ କାମ କରୁନଥିବେ ସେମାନଙ୍କୁ କାର୍ଯ୍ୟସ୍ଥଳରେ ପହଞ୍ଚାଇବାକୁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ବିଡିଓ ବା ଜିଲ୍ଲା ଶ୍ରମ ଅଧିକାରୀ ଏଭଳି ଶ୍ରମିକଙ୍କ ପରିବହନ ସମ୍ପର୍କରେ ଜିଲ୍ଲାପାଳ ଓ ପିଡି ଡିଆରଡିଓଙ୍କୁ ଅବଗତ କରିବେ । ଜିଲ୍ଲାପାଳ ଏହା ଉପରେ ପଦକ୍ଷେପ ନେବେ । ଏହି କ୍ଷେତ୍ରରେ ଶ୍ରମିକ ପରିବହନ ପାଇଁ ଆରଟିଓଙ୍କଠାରୁ ବସ୍‌ ରିକ୍ୟୁଜିସନ୍‌ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏ ବାବଦ ସମସ୍ତ ଖର୍ଚ୍ଚ ବ୍ୟୟ କରାଯିବ । ଏହି ଉଦ୍ଦେଶ୍ୟରେ ରିକ୍ୟୁଜିସନ୍‌ ହୋଇଥିବା ବସ୍‌ଗୁଡ଼ିକର ରୋଡ୍‌ ଟ୍ୟାକ୍ସ ଛାଡ଼ କରାଯିବ ।

ବିଭିନ୍ନ କ୍ୟାମ୍ପରେ ଏହି ଶ୍ରମିକମାନେ ଫସି ରହିଥିବାରୁ ସେମାନେ ଅନ୍ୟ ଜିଲ୍ଲାରେ କାର୍ଯ୍ୟସ୍ଥଳକୁ ଯିବାବେଳେ ଆଉ କ୍ୱାରେଣ୍ଟାଇନ୍‌ରେ ରହିବେ ନାହିଁ । ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନ୍‌ରେ ରହି ସାରିଛନ୍ତି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ବାଧ୍ୟ ନକରି ସେମାନଙ୍କୁ କାର୍ଯ୍ୟସ୍ଥଳୀରେ ପହଞ୍ଚାଇବା ବ୍ୟବସ୍ଥା କରିବେ । ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ଶ୍ରମିକଙ୍କୁ ସୁବିଧାରେ କାର୍ଯ୍ୟସ୍ଥଳରେ ପହଞ୍ଚାଇବାକୁ ପଦକ୍ଷେପ ନେବେ । ଜିଲ୍ଲା ଶ୍ରମ ଅଧିକାରୀମାନେ ସଂପୃକ୍ତ ବିଡିଓଙ୍କ ସହ ସମନ୍ୱୟ ରକ୍ଷା କରି ଦୈନିକ ଶ୍ରମିକଙ୍କ ଯାତାୟାତ ତଥ୍ୟ ପ୍ରସ୍ତୁତ କରି ରଖିବେ ବୋଲି ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.