ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଟି ମୁମ୍ବାଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ୱର ୧୨/୧୦ : ଗବେଷଣାକୁ ଅଧିକ ବିକଶିତ କରିବା ଏବଂ ରସାୟନ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଜୈବ ବିଜ୍ଞାନ, ରସାୟନ ଇଞ୍ଜିନିୟରିଂ ଓ ଏହାର ଆନୁସଙ୍ଗିକ କ୍ଷେତ୍ରକୁ ଅଧିକ ଦକ୍ଷ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଗବେଷଣା ଓ ଆପୋଷବୁଝାମଣା ନିମନ୍ତେ କାର୍ଯ୍ୟ କରିବା ଦିଗରେ ଆମ ଦେଶରେ ଅଧିକ ଶିକ୍ଷିତ ମାନବସମ୍ବଳ କିଭଳି ସୃଷ୍ଟି ହୋଇପାରିବ ତାହା ହିଁ ଏହି ଦୁଇ ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଛନ୍ତି । ପ୍ରଫେସର ବାନାର୍ଜୀ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଗଣପତି ଡି. ଯାଦବଙ୍କ ମଧ୍ୟରେ ଗୁରୁବାର ଦିନ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଛି । ପାଂଚବର୍ଷ ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଦ୍ୱାରା ଦୁଇଟି ଅନୁଷ୍ଠାନର ବୈଜ୍ଞାନିକ, ଗବେଷଣାରତ ବ୍ୟକ୍ତି, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନେ ନିଜ ମଧ୍ୟରେ ଆଲୋଚନା କରିପାରିବେ ଓ ମିଳିତ ଭାବେ ସମ୍ମିଳନୀ ଆୟୋଜନ କରିପାରିବେ । ଦୁଇଟି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ପ୍ର୍ରୋଜେକ୍ଟ ପ୍ରସ୍ତୁତ କରିବା ନିମନ୍ତେ ସହଯୋଗ କରିବା ସହ ଯେକୋ÷ଣସି ଅନୁଷ୍ଠାନରୁ ପିଏଚ୍ଡି ପାଇଁ ସେମାନେ ଯୋଗ୍ୟ ହୋଇପାରିବେ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି । ଆଇସିଟି ପକ୍ଷରୁ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଏକ କ୍ୟାମ୍ପସ୍ ଖୋଲାଯାଇଛି । ଏକାଡେମିକ୍ ଏବଂ ଗବେଷଣା ପ୍ରସୂତ ଆଲୋଚନା ନିମନ୍ତେ ଉଭୟ ଅନୁଷ୍ଠାନ ଆନୁସଙ୍ଗିକ ସୁବିଧା ସୁଯୋଗ ପ୍ରଦାନ କରିବେ । ସେହିପରି ଉଭୟ ଅନୁଷ୍ଠାନ ନିଜ ମଧ୍ୟରେ ସଫ୍ଟୱେୟାର ଏବଂ ଅନ୍ୟ ସାମଗ୍ରୀର ଆଦାନପ୍ରଦାନ ମଧ୍ୟ କରିବେ । ଏହି କ୍ୟାମ୍ପସ୍ରେ ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ମେମ୍ବର୍ସ ଏବଂ ଛାତ୍ରଛାତ୍ରୀମାନେ ଲାଇବ୍ରେରୀର ସୁବିଧା ମଧ୍ୟ ଉଠାଇପାରିବେ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି । ସୋଆ ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ, ଆଇସିଟି, ମୁ୍ମ୍ବାଇ ଡିନ୍ (ଏଚ୍ଆର୍ଡି) ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତ, ଆଇସିଟି ଓଡ଼ିଶା କ୍ୟାମ୍ପସ୍ର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ଏନ୍. ଥୋରାଟ, ସୋଆ ଆଡ୍ଭାଇଜରି ବୋର୍ଡର ଚେୟାରମ୍ୟାନ୍ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ନିର୍ଦ୍ଦେଶକ ଡ. ମାନସ କୁମାର ମଲ୍ଲିକ, ସୋଆ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍ଲପ୍ମେଂଟ) ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସମୟରେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.