J-PAL ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ, ମହିଳା ସଶକ୍ତିକରଣ ସାଙ୍ଗକୁ କୃଷି ଉତ୍ପାଦନ ବୃଦ୍ଧି, ଦାଦନ ଶ୍ରମିକ ସମସ୍ୟା ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରକୁ ମିଳିବ ପ୍ରାଧାନ୍ୟ

Published By : Prameya-News7 Bureau | October 31, 2019 IST

ଭୁବନେଶ୍ୱର ୩୧।୧୦:  ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍ଧ ତଥ୍ୟର ଉପଯୋଗ ଲାଗି  ଗୁରୁବାର ଓଡିଶା ସରକାର ଓ ଅବ୍ଦୁଲ ଲତିଫ ଜମିଲ ପ୍ରଭର୍ଟି ଆକ୍ସନ ଲ୍ୟାବ (ଜେ-ପଲ୍) ଦକ୍ଷିଣ ଏସିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ଥାନୀୟ ଖାରବେଳ ଭବନରେ ଏଥିଲାଗି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜେ-ପଲ ଦକ୍ଷିଣ ଏସିଆ ପକ୍ଷରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

{"id":177488}

ରାଜ୍ୟ ସରକାରଙ୍କର ଫାଇଭ-ଟି କାର୍ଯ୍ୟକ୍ରମ ଅନୁରୂପ ଏହି ବୁଝାମଣାପତ୍ର ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଭ-ଟି କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛତା, ସାମୂହିକ ଉଦ୍ୟମ ଓ ବୈଷୟିକ ପ୍ରୟୋଗ ମାଧ୍ୟମରେ ବ୍ୟବସ୍ଥାରେ ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏଣୁ  ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମର ସୁଫଳ ଯେପରି  ସର୍ବାଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେ ଦିଗରେ ଉଭୟ କାର୍ଯ୍ୟ କରିବେ। ଜେ-ପଲ୍‌ ଏ ଦିଗରେ ଗବେଷଣା ଲବ୍ଧ ତଥ୍ୟଭିତ୍ତିକ, ବୈଷୟିକ ସହଯୋଗ ଯୋଗାଇ ଦେବ।ଏହି ସହଯୋଗ କାର୍ଯ୍ୟକ୍ରମରେ ଜେ-ପଲ୍‌ ରାଜ୍ୟର ବିଭିନ୍ନ ବିଭାଗ ବିଶେଷତଃ ଶ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର କାର୍ଯ୍ୟକାରୀତା ସମ୍ପର୍କରେ  ତଥ୍ୟ ସଂଗ୍ରହ କରି ତାର ମୂଲ୍ୟାଙ୍କନ କରାଯିବା ସହ  ଏହିସବୁ କାର୍ଯ୍ୟର ମୂଲ୍ୟାୟନ ଏବଂ ସୁପରିଚାଳନା  ଲାଗି ଦକ୍ଷତାବୃଦ୍ଧି ତାଲିମ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯିବ।

{"id":177489}

ବୁଝାମଣା ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଏହି ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଓଡିଶାବାସୀଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଓ ଆକାଙକ୍ଷା ପୂରଣ ହେବା ସହ ଓଡିଶାରେ ଆସିବାକୁ ଥିବା ପରିବର୍ତ୍ତନର ଲକ୍ଷ୍ୟ ପୂରଣ ଦିଗରେ ଟିମ୍‌ ଓଡିଶାର ଉଦ୍ୟମ ସଫଳ ହୋଇପାରିବ। ଜେ-ପଲ୍‌ ଦକ୍ଷିଣ ଏସିଆ ରାଜ୍ୟ ସରକାରଙ୍କ ସହିତ ଏହି ବୁଝାମଣା କରି ଅତ୍ୟନ୍ତ ଆନନ୍ଦିତ ବୋଲି ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶୋଭିନୀ ମୁଖାର୍ଜୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସୁପରିଚାଳନା, ଦକ୍ଷତାବୃଦ୍ଧି ସହିତ ଜନସାଧାରଣଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ରାଜ୍ୟ ସରକାର ଓ ଜେ-ପଲ୍‌ ଦକ୍ଷିଣ ଏସିଆ ନିୟମିତ ଭାବରେ ବିଭିନ୍ନ ନୀତି ଉପରେ ବାର୍ଷିକ ଆଲୋଚନା କରି ସରକାରଙ୍କ ପ୍ରାଥମିକତା କ୍ଷେତ୍ର ଚୟନ କରିବା ସହିତ ଆଲୋଚନା ଜରିଆରେ ତଥ୍ୟ ଆଦାନପ୍ରଦାନ ଓ ମିଳିତ ଅଭିନବ ଉପାୟ ଅବଲମ୍ବନ ଦ୍ୱାରା ବାସ୍ତବ କ୍ଷେତ୍ରରେ ଏହାର ପ୍ରୟୋଗ କରି କାର୍ଯ୍ୟକ୍ରମ ଗୁଡିକର ମୂଲ୍ୟାଙ୍କନ କରିବେ।

{"id":177491,"width":579,"height":365}

ପୁଷ୍ଟିହୀନତା, ମହିଳା ସଶକ୍ତିକରଣ, ଦାଦନ ଶ୍ରମିକ ସମସ୍ୟା, ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟଦକ୍ଷତା ଏବଂ କୃଷି ଉତ୍ପାଦକତା ବୃଦ୍ଧି ଆଦି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ନୀତି ସମ୍ପର୍କରେ ନିୟମିତ ଆଲୋଚନା କରାଯାଇ ସାଧାରଣଲୋକଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ଦକ୍ଷତାବୃଦ୍ଧି କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ, ମୋ ସ୍କୁଲ ଅଧ୍ୟକ୍ଷ,  ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଜେ-ପଲ୍ ର ସହପ୍ରତିଷ୍ଠାତା ଅଭିଜିତ୍ ବାନାର୍ଜୀ ଓ ଏଷଥର୍ ଡଫଲୋ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.