ଥାନା ଭିତରେ ଥାର୍ଡ ଡିଗ୍ରୀ : ଚାକିରୀରୁ ନିଲମ୍ବିତ ହେଲେ ମୋଟୁ ଥାନା ଏସଆଇ

Published By : Prameya-News7 Bureau | October 04, 2021 IST

ମାଲକାନଗିରି ୪।୧୦: ସୀମା ଉଲଙ୍ଘନ କରି ଥାନା ଭିତରେ ଦୁଇ ଯୁବକଙ୍କ ଉପରେ ଥାର୍ଡ ଡିଗ୍ରୀ କରିଥିବା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଏସଆଇ ସୋମନାଥ ଦଳବେହେରାଙ୍କୁ ଚାକିରିରୁ ନିଲମ୍ବିତ କଲେ ମାଲକାନଗିରି ଏସପି । ଏକ ଚୋରି ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରି ଦୁଇ ଯୁବକଙ୍କୁ ଥାନାକୁ ଡାକି ୩ ଦିନ ଧରି ନିସ୍ତୁକ ଭାବେ ପିଟିଥିଲେ ମୋଟୁ ଥାନା ଅଧିକାରୀ ସୋମନାଥ ଦଳବେହେରା ।

ସୂଚନାଯୋଗ୍ୟ ଯେ, କାଲିମେଳା ବ୍ଲକ୍ ଅନ୍ତର୍ଗତ ମହାରାଜପାଲି ପଂଚାୟତର ଏମଭି ଗାଁରେ ଏକ ଚୋରି ହୋଇଥିବା କାରଣରୁ ଗାଁରେ ବୈଠକ ହୋଇଥିଲା । ବୈଠକ ସମୟରେ ଗ୍ରାମର ଦୁଇ ଯୁବକ ବିଶ୍ବଜିତ ବିଶ୍ବାସ ଓ ବିପ୍ଳବ ହାଲଦାରଙ୍କୁ ଗାଁ ଲୋକେ ଦୋଷୀ ବୋଲି କହିଥିଲେ । ହେଲେ ଘଟଣା ସଂପର୍କରେ ଥାନାରେ କିନ୍ତୁ କେହି ଏତଲା ଦେଇ ନାହାନ୍ତି । ଏମାନଙ୍କୁ ଆନ୍ଧ୍ର ପ୍ରଦେଶରୁ ଡାକି ମୋଟୁ ପୋଲିସ ପାଖରେ ଜିମା ଦେଇଥିଲେ ଗ୍ରାମବାସୀ । କିନ୍ତୁ ମୋଟୁ ପୋଲିସ ଘଟଣାର କୌଣସି ତଦନ୍ତ ନକରି ଦୁଇ ଯୁବକଙ୍କୁ ଥାନା ଭିତରେ ତିନି ଦିନ ଧରି ନିସ୍ତୁକ ଭାବେ ପିଟିଥିଲେ । ପରେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଅତ୍ୟାଚାର ଏମିତି ହୋଇଥିଲା ଯେ ଦୁଇ ଯୁବକ ଚାଲିବାକୁ ବଳ ମଧ୍ୟ ପାଉନଥିଲେ ‌। ପରେ ୧୦୮ ଆମ୍ବୁଲାନ୍ସରେ ମେଡିକାଲ ପହଞ୍ଚିଥିଲେ ଏମାନେ । ଘଟଣାର ତଦନ୍ତ କରି ସଂପୃକ୍ତ ଏସଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲକାନଗିରି ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.