କଂଗ୍ରେସର ବରିଷ୍ଠ ନେତା ମୋତିଲାଲ୍ ଭୋରାଙ୍କ ପରଲୋକ, ରବିବାର ପାଳିଥିଲେ ଜନ୍ମଦିନ
21/12/2020 at 4:03 PM

ନୂଆଦିଲ୍ଲୀ ୨୧/୧୨: କଂଗ୍ରେସର ବରିଷ୍ଠ ନେତା ତଥା ମ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ମୋତିଲାଲ ଭୋରାଙ୍କୁ ରବିବାର ଏସ୍କଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ତାଙ୍କର ଜନ୍ମଦିନ ଥିଲା। ଦୀର୍ଘ ଦିନ କଂଗ୍ରେସର କୋଷାଧ୍ୟକ୍ଷ ଥିବା ମୋତିଲାଲ ଭୋରା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉତ୍ତରପ୍ରଦେଶର ରାଜ୍ୟପାଳ ମଧ୍ୟ ଥିଲେ।
ମୋତିଲାଲ ଭୋରା ଗାନ୍ଧୀ ପରିବାରର ନିକଟତର ଥିଲେ। ୨୦୧୮ରେ ବୟାସାଧିକ୍ୟ କାରଣ କହି ତାଙ୍କ ପାଖରୁ ରାହୁଲ ଗାନ୍ଧୀ କୋଷଧ୍ୟକ୍ଷ ଦାୟିତ୍ବ ନେଇ ଅହମଦ ପଟେଲଙ୍କୁ ହସ୍ତାନ୍ତର କରିଥିଲେ। ନିକଟରେ ଅହମଦ ପଟେଲଙ୍କ ମଧ୍ୟ ନିଧନ ହୋଇସାରିଛି। କଂଗ୍ରେସ ପାଇଁ ଏହା ଏକ ବଡ଼ ଝଟ୍କା ବୋଲି କୁହାଯାଉଛି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମୋତିଲାଲ ଭୋରାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।