ହୃଦୟ ବିଦାରକ: ୫ ଲିଟରିଆ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪୦ ବର୍ଷୀୟ ଚମ୍ପା ମେହେର୍, ୫ ବର୍ଷର ପୁଅ ଅମିତ୍ ଏବଂ ୪ ବର୍ଷର ଝିଅ ସୁନୀତା, ଦାୟୀ କିଏ?

Published By : Prameya-News7 Bureau | November 14, 2018 IST

ଭବାନୀପାଟଣା ୧୪|୧୧: ଗ୍ୟାସ୍ ସିଲିଣ୍ଡର୍ ବ୍ଲାଷ୍ଟ୍ । ତାହା ପୁଣି ୫ ଲିଟରିଆ । କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ ଥନଟ ଗାଁରେ ହୋଇଛି ଭୟଙ୍କର ବିସ୍ଫୋରଣ । ୫ ଲିଟରିଆ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣରେ ପୂରା ଘର ଜଳିପୋଡ଼ି ଛାରଖାର୍ ହୋଇ ଯାଇଥିବା ବେଳେ ଯାଇଛି ମାଆ ଓ ଦୁଇ ଛୁଆଙ୍କ ଜୀବନ ।ଘଟଣାସ୍ଥଳ ନିହାତି ହୃଦୟ ବିଦାରକ ହୋଇଥିବା ବେଳେ ୫ଲିଟରିଆ ଗ୍ୟାସ୍ ସିଲିଣ୍ଡରରେ ରୋଷେଇ କରିବା କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ । ଜଳିପୋଡ଼ି ଘର ପୂରା ଛାରଖାର୍ । ଖପର୍ ଉଡ଼ି ଯାଇଛି, ପୁଣି ସବୁ ପୋଡ଼ି ଅଙ୍ଗାର ହୋଇଯାଇଛି । ଆଉ ତା ଭିତରେ ଉପରକୁ ଦିଶୁଛି ଦୁଇଟି ଗୋଡ଼ । କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ ଥନଟ ଗାଁ ମେହେର୍ ସାହିରେ ଘଟିଛି ଏଭଳି ଅଘଟଣ । ୫ ଲିଟରିଆ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ୪୦ ବର୍ଷୀୟ ଚମ୍ପା ମେହେର୍, ତାଙ୍କ ୫ ବର୍ଷର ପୁଅ ଅମିତ୍ ଏବଂ ୪ ବର୍ଷର ଝିଅ ସୁନୀତା । ଚମ୍ପାଙ୍କ ସ୍ବାମୀ, ଅଜିତ ବଜାରକୁ ବ୍ୟବସାୟ କରିବାକୁ ଯାଇଥିଲେ, ଆଉ ୧୨ ବର୍ଷୀୟ ବଡ଼ ଝିଅ କୁନୀତା ଗାଧୋଇ ଯାଇଥିବାରୁ ବଞ୍ଚି ଯାଇଛନ୍ତି । ସମୟ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ । ଅଜିତ ମେହରଙ୍କ ଘରେ ହେଲା ହଠାତ୍ ଭୟଙ୍କର ବିସ୍ଫୋରଣ । ଆଉ ତା ପରେ ହୁତୁ ହୁତୁ ହୋଇ ଜଳିଲା ପୂରା ଘର । ସାହି ପଡ଼ିଶା ଧାଇଁ ଆସିଲା ବେଳକୁ ପରିସ୍ଥିତି ଅଣାୟତ ହୋଇ ଯାଇଥିଲା । ପାଇପରେ ପାଣି ଢାଳି ନିଆଁ ଲିଭାଇଲେ, ଆଉ ଘର ଭିତରେ ପଶିଲା ବେଳକୁ ମିଳିଲା ମା, ଛୁଆ ୩ ଜଣଙ୍କ ମୃତଦେହ । ଅଣସ୍ବୀକୃତିପ୍ରାପ୍ତ ୫ ଲିଟିରିଆ ସିଲିଣ୍ଡରରେ ଅସାବଧନତା କାରଣରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ସଚେତନତାର ଅଭାବ ହିଁ ଏଭଳି ଅଘଟଣର ମୂଳ କାରଣ । ଆଉ ଏ ହେଉଛି ତାର ପ୍ରମାଣ । ଦେଖନ୍ତୁ … ଏଠି କେମିତି ଗଦା ହୋଇଛି ୫ ଲିଟିରିଆ ଗ୍ୟାସ୍ ସିଲିଣ୍ଡର୍ ।ଏସବୁ ସ୍ବୀକୃତିପ୍ରାପ୍ତ ନା ଅଣ ସ୍ବୀକୃତିପ୍ରାପ୍ତ ? ହଁ, ଗ୍ୟାସ୍ କଂପାନିଙ୍କ ଠାରୁ କିଣିଲେ ଆପଣ ସ୍ବୀକୃତିପ୍ରାପ୍ତ ଏବଂ ଗୁଣାତ୍ମକ ସିଲିଣ୍ଡର୍ ପାଇପାରିବେ । କିନ୍ତୁ ବାହାରେ ଅଧା ଦାମରେ ବି ମିଳୁଛି ଏମିତିଆ ସିଲିଣ୍ଡର୍ । ଯେଉଁଥି ପାଇଁ ଏଭଳି ଅଘଟଣମାନ ଘଟୁଛି । ଆଉ ପରୋକ୍ଷରେ ପ୍ରଶାସନ ଉପରକୁ ଉଠୁଛି ଅଙ୍ଗୁଳି । ଶସ୍ତାରୁ ହିନସ୍ତା ଏବଂ ଅସାବଧନତାରୁ ଅଘଟଣ । ଧର୍ମଗଡ଼ ଥନଟ ଗାଁରୁ ଏହି ଅଘଟଣକୁ ଦେଖିଲେ ଗ୍ୟାସକୁ ଡର ଲାଗୁଛି ସତ, ହେଲେ କାହିଁକି ଆମେ ସଚେତନ ହେଉନେ, ସେନେଇ ସୃଷ୍ଟି ହେଉଛି ପ୍ରଶ୍ନବାଚୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.