ଅସୁସ୍ଥ ମା’ ରାତିରେ ବାରମ୍ବାର ପିଇବା ପାଇଁ ମାଗୁଥିଲେ ପାଣି: ବିରକ୍ତି ହୋଇ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ…
26/11/2019 at 5:23 PM

ନୂଆଦିଲ୍ଲୀ୨୬/୧୧: ସଂସାରରେ ମାଆଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ। ମାଆଙ୍କଠୁ ଅଧିକ କେହି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ମଧ୍ୟ ଦେଇ ପାରିବେ ନାହିଁ। ଛୋଟବେଳୁ ଭଲ ପାଇବା ,ସ୍ନେହ ଓ ଶ୍ରଦ୍ଧା ଦେଇ ବଡ଼ କରିଥିବା ମାଆଙ୍କୁ ଜନ୍ମିତ ପୁଅ ହତ୍ୟା କରିଛି। ଅସୁସ୍ଥ କାରଣରୁ ରାତିରେ ପିଇବା ଲାଗି ସେ ବାରମ୍ବାର ପାଣି ମାଗିବାରୁ ଅଭିଯୁକ୍ତ ପୁଅ ବିରକ୍ତି ହୋଇ ନିଜ ମାଆଙ୍କ ତଣ୍ଟିଚିପି ହତ୍ୟା କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଦିଲ୍ଲୀର ଗ୍ରେଟର ନୋଇଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ପୋଲିସର ସୂଚନା ଅନୁସାରେ ନୋଇଡ଼ାର ବାଦଲପୁର ଅଞ୍ଚଳର ୫୦ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ନିଜ ପୁଅ ତଣ୍ଟିଚିପି ହତ୍ୟା କରିଛି। କିଛିଦିନ ହେବ ମହିଳାଙ୍କ ଦେହ ଖରାପ ଥିଲା। ତେଣୁ ରାତିରେ ତାଙ୍କୁ ବାରମ୍ବାର ଶୋଷ ଲାଗୁଥିଲା। ତେଣୁ ରାତିରେ ପୁଅକୁ ନିଦରୁ ଉଠାଇ ପାଣି ମାଗୁଥିଲେ। ଏମିତି ରାତିରେ ବାରମ୍ବାର ପାଣି ମାଗିବାରୁ ବିରକ୍ତି ହୋଇ ଅଭିଯୁକ୍ତ ପୁଅ ମାଆଙ୍କ ତଣ୍ଟିଚିପି ହତ୍ୟା କରିଥିବା ପୋଲିସ କହିଛି। ଅଭିଯୁକ୍ତ ପୁଅ ମାଆଙ୍କୁ ହତ୍ୟା କରିବା ପରେ ମହିଳାଙ୍କ ସ୍ବାମୀ ଅର୍ଥାତ ଅଭିଯୁକ୍ତ ନିଜ ବାପାଙ୍କୁ ଫୋନ କରି ମାଆଙ୍କ ହତ୍ୟା ସଂପର୍କରେ କହିଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ମାଆଙ୍କ ଶବକୁ ଜବତ କରିଥିଲା। ପ୍ରଥମରୁ ଅଭିଯୁକ୍ତ ପୁଅ ମାଆଙ୍କୁ ହତ୍ୟା କରିଥିବା କଥା ମାନି ନ ଥିଲା। ମହିଳାଙ୍କ ସ୍ବାମୀ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରନ୍ତି। ଏହି ହତ୍ୟା ଘଟଣାରେ ପୋଲିସ ମୃତ ମହିଳାଙ୍କ ପୁଅକୁ ସନ୍ଦେହ କରିଥିଲା। ପୋଲିସ ବହୁ ପଚରାଉଚାରା କରିବା ପରେ ଅଭିଯୁକ୍ତ ପୁଅ ସତ କଥା କହିଥିଲା। ସେ କହିଥିଲା ଯେ ରାତିରେ ମାଆ ତାଙ୍କୁ ହଇରାଣ କରୁଥିଲେ। ରାତି ତମାମ କେବଳ ତାକୁ ପାଣି ମାଗୁଥିଲେ। ସେଥିଲାଗି ବିରକ୍ତି ହୋଇ ରାତି ମାଆଙ୍କ ତଣ୍ଟିଚିପି ହତ୍ୟା କରିଥିବା କଥା ଅଭିଯୁକ୍ତ ପୁଅ ସ୍ବୀକାର କରିଛି। ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।