ନୟାଗଡରେ ପାରିବାରିକ କଳହର କରୁଣ ପରିଣତି ; ପୁଅ ଓ ଝିଅଙ୍କୁ ବିଷ ଦେଇ ପୋଖରୀକୁ ଫିଙ୍ଗିବା ପରେ ବିଷ ପିଇ ପୋଖରୀକୁ ଡେଇଁଲା ମାଆ

Published By : Prameya-News7 Bureau | October 22, 2018 IST

ନୟାଗଡ ୨୨|୧୦: ପାରିବାରିକ କଳି ଉଜାଡିଦେଲା ସଂସାର । ପୁଅ ଓ ଝିଅଙ୍କୁ ବିଷ ଦେଇ ପୋଖରୀକୁ ଫିଙ୍ଗିଦେବା ପରେ ମାଆ ବିଷ ପିଇ ପୋଖରୀକୁ ଡେଇଁପଡିଛି । ନୟାଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗାଁର ଏହି ଘଟଣା ହତଚକିତ କରିଛି । ୨ ଜଣ ପିଲା ପ୍ରାଣ ହରାଇଥିବା ବେଳେ ମହିଳାଙ୍କ ଅବସ୍ଥା ଗୁରୁତର ଅଛି । ତାଙ୍କୁ ପ୍ରଥମେ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଗାଁର ବାପି ଖୁଣ୍ଟିଆ ଏକ ଗ୍ରିଲ୍ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ବହୁ ସମୟରେ ବାପି ଓ ଅହଲ୍ୟାଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତକାଲି କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ଅହଲ୍ୟା ୧୦ବର୍ଷର ଝିଅ ଶିବାନୀ ଏବଂ ୫ବର୍ଷର ପୁଅ ସାଇକୁ ବିଷ ପିଆଇ ପୋଖରୀରେ ଫୋପାଡି ଦେଇଥିଲା । କେବଳ ସେତିକି ନୁହେଁ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁ ପଡିଥିଲା ।  ଗାଁ ଲୋକମାନେ ଏହା ଦେଖି ପୋଖରୀ ଭିତରୁ ମାଆ ଓ ପୁଅକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ରାସ୍ତାରେ ପୁଅର ମୃତ୍ୟୁ ହୋଇଥିଲା । ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା । ସେପଟେ କିନ୍ତୁ ମହିଳାଙ୍କୁ ତାଙ୍କ ଶ୍ବଶୁରଘର ଲୋକେ ମାରିଦେବାକୁ ଉଦ୍ୟମ କରିଥିବା ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.