Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିତା ବାଘ ମୁହଁରୁ ୧୮ମାସର ପୁଅକୁ ଜିବନ୍ତ ଛଡାଇ ଆଣିଲା ମାଆ

23/04/2019 at 8:35 PM

ପୁଣେ ୨୩।୪ : ଅନେକ  ଦୁଃଶାହାସିକ କଥା ଶୁଣିଛନ୍ତି ଆପଣ । ହେଲେ ପୁଣେର ପିମ୍ପରି ଅଞ୍ଚଳରେ ଘଟିଥିବା ଏକ ଘଟଣା ନିଶ୍ଚିତ ଚକିତ କରିବ ଆପଣଙ୍କୁ । ପିମ୍ପରିର ଚିଞ୍ଚୱଡରେ ଜଣେ ନିରସ୍ତ୍ର ମହିଳା ଆଖୁ ଚାଷୀ ଚିତା ବାଘ ମୁହଁରୁ ତାଙ୍କ ୧୮ ମାସର ଶିଶୁପୁତ୍ରକୁ ଜିଅନ୍ତା ଛଡାଇ ଆଣିଛନ୍ତି । ବାଘ ଓ ମଣିଷର ଲଢେଇରେ ମହିଳା ସାମାନ୍ୟ ଆହତ ହୋଇଥିବା ବେଳେ ଶିଶୁଟିର ଗଳାରେ ବାଘର ଦାନ୍ତ ଚିହ୍ନ ରହିଛି । ତେବେ ଉଭୟ ମା ଓ ଶିଶୁ ହସ୍ପିଟାଲରେ ଏବେ ସୁସ୍ଥ ଅଛନ୍ତି ।

ଛିଞ୍ଚୱଡରେ ଆଖୁଚାଷୀମାନେ ଖେତକୁ ଜଗି ବିଲରେ ଝୁପଡି କରି ରହିବା ସାଧାରଣ କଥା । ତେବେ ଗରମ ଯୋଗୁ ଚାଷୀମାନେ ପ୍ରାୟତଃ ଘରେ ନ ଶୋଇ ଘର ଅଗଣାରେ ଶୋଇଥାନ୍ତି । ସବୁଦିନ ଭଳି ମହିଳା ଚାଷୀ ଜଣକ ତାଙ୍କ ଶିଶୁପୁତ୍ର ସହ ରାତିରେ ଘର ଅଗଣାରେ ଶୋଇଥିବା ବେଳେ ପାଖ ଜଙ୍ଗଲରୁ ଅଚାନକ ଏକ ଚିତାବାଘ ଆସିଥିଲା । ମହିଳା ବାଘ ସମ୍ପର୍କରେ କିଛି ସୂଚନା ପାଇବା ପୂର୍ବରୁ ବାଘଟି ତାଙ୍କ କୋଳରେ ଶୋଇଥିବା ୧୮ମାସର ଶିଶୁଟିକୁ ଝାମ୍ପିନେଇଥିଲା ।  ବାଘମୁହଁରେ ପୁଅ ଥିବା ବେଳେ  ହାତ ପାଖରେ କିଛି ଅସ୍ତ୍ର ବି ନଥିଲା।  ପୁଅକୁ ବଞ୍ଚାଇବା ପାଇଁ ଖଲି ହାତରେ ଲଢିଯାଇଥିଲେ ମହିଳା। ଶେଷରେ ମା କବଳରୁ ବର୍ତ୍ତିବା ଲାଗି ବାଘଟି ଜେମିତି ଶିଶୁଟିକୁ ତଳେ ଥୋଇଛି ମହିଳା ଶିଶୁଟିକୁ ଉଠାଇ ନେଇ ଲୋକଙ୍କୁ ଡାକ ପାରିଥିଲେ। ଲୋକେ ଦୌଡି ଆସିବାରୁ ବାଘଟି ଜଙ୍ଗଲକୁ ପଳାଇଯାଇଥିଲା। ବାଘ ଆକ୍ରମଣର ଆହତ ମା ଓ ପୁଅଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ସେଠାରେ ମା ଓ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି।

ଘଟଣା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗ ଅଧିକାରୀମାନଙ୍କୁ ଜଣାଇଥିଲେ । ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ଭୟ ରହୁଥିବାରୁ ରାତିରେ ଲୋକଙ୍କୁ ଘରେ ଶୋଇବା ପାଇଁ ବନ ବିଭାଗ ବାରମ୍ବାର ସତର୍କ କରାଉଛି । ହେଲେ ଲୋକେ ବନ ବିଭାଗର ସତର୍କତା ମାନୁ ନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ବନ ବିଭାଗ ଅଧିକାରୀ କହିଛନ୍ତି ।  

   Related Posts