ଦ୍ବିତୀୟ ବିବାହ କରି ପୁଅକୁ ନେଇଗଲେ ସ୍ଵାମୀ, ପୁଅକୁ ଫେରି ପାଇବାକୁ ଦୌଡି ଦୌଡି ନୟାନ୍ତ ହେଲେଣି ମା’

Published By : Prameya-News7 Bureau | June 11, 2021 IST

ଭଦ୍ରକ ୧୧।୬: ବାପା ଦ୍ବିତୀୟ ବିବାହ କଲେ । ଗଲା ବେଳେ ୪ ବର୍ଷର ପୁଅକୁ ବି ସାଙ୍ଗରେ ନେଇଗଲେ । ମା’ ପ୍ରତିବାଦ କରିବାରୁ ଯୌତୁକ ଜନିତ ନିର୍ଯାତନା ଦେଇ ଘରୁ ତଡିଦେଲେ ।  ଏମିତି ଅଭିଯୋଗ ନେଇ ନିଜ ପୁଅକୁ ପାଇବା ପାଇଁ ଥାନାରୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲଣି ମା’ ।  ସମସ୍ତଙ୍କୁ ଅନୁରୋଧ କରି କହୁଛନ୍ତି, ମୋ ପୁଅକୁ ମୋତେ ଫେରାଇ ଦିଅ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯ, ୨୦୧୭ ମସିହାରେ ସସ୍ମିତା ସାହୁ  ମଞ୍ଜୁରିରୋଡ୍ ଫାଣ୍ଡି ଅଧିନସ୍ଥ ସାତଶୋଳା ଗାଁର ନିତ୍ୟ ଚିନ୍ମୟ ଖଣ୍ଡାଇଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ସସ୍ମିତାଙ୍କୁ ଶ୍ଵଶୁର ଘର ଲୋକେ ଯୌତୁକ ଜନିତ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ପରେ ତାଙ୍କ ସ୍ଵାମୀ ଦ୍ଵିତୀୟ ବିବାହ କରିବା ସହ ୪ ବର୍ଷର ଛୋଟ ପୁଅକୁ ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି ।  ଏ ନେଇ ସସ୍ମିତା ପ୍ରଥମେ ମଞ୍ଜୁରିରୋଡ ଫାଣ୍ଡି ଓ ପରେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି ।  କିନ୍ତୁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଧାମନଗର ଏସଡିପିଓଙ୍କୁ ଭେଟି ନିଜ ଗୁହାରି ଜଣାଇଛନ୍ତି ।

ତେବେ ଘଟଣା ନେଇ ଅଭିଯୋଗକାରିଣୀଙ୍କ ସ୍ଵାମୀଙ୍କ ସହ ଯୋଗାଯୋଗ ହୋଇ ନଥିବା ବେଳେ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ମଧ୍ୟ ଫୋନ୍ ଉଠାଉ ନାହାନ୍ତି । ତେବେ ନିଜ ପୁଅକୁ ନିଜ ନିକଟକୁ ଫେରାଇ ଆଣିବା ପାଇଁ ମା’ ଏବେ ଦୌଡି ଦୌଡି ନୟାନ୍ତ ହେଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.