୨୦ଦିନ ଧରି ଘରେ ପଡିଥିଲା ମହିଳାଙ୍କ ମୃତଦେହ, ଆତ୍ମା ଫେରାଇ ଆଣିବାକୁ ପିଲାଙ୍କ ଦ୍ବାରା ପୂଜା କରାଉଥିଲା ପୂଜାରୀ
2/01/2021 at 3:33 PM

ଡିଡିଗୁଲ ୨।୧: ତାମିଲନାଡୁ ଡିଡିଗୁଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ମା’ଙ୍କ ଆତ୍ମାକୁ ଫେରାଇ ଆଣିବାକୁ ଦୁଇ ପିଲାଙ୍କ ଦ୍ବାରା ପୂଜା କରାଉଛନ୍ତି ଜଣେ ପୂଜାରୀ । ପିଲା ଦୁଇ ଜଣଙ୍କୁ ପୂଜାରୀ କହିଥିଲେ ଯେ, ପୂଜା କରିବା ଦ୍ବାରା ତାଙ୍କ ମା’ଙ୍କ ଆତ୍ମାକୁ ଭଗବାନ ଫେରାଇଦେବେ ।
ସୂଚନାଯୋଗ୍ୟ ଯେ, ଇନ୍ଦିରା ନାମକ ଜଣେ ମହିଳା ଡିଡିଗୁଲରେ ଏକ ମହିଳା ଥାନାରେ ହେଡ୍ କନଷ୍ଟେବଳ ଭାବେ କାମ କରୁଥିଲେ । ମହିଳାଙ୍କର ଦେହ ଅସୁସ୍ଥ ରହୁଥିଲା । କିଛି ବର୍ଷ ପୂର୍ବେ ସେ ତାଙ୍କ ଦୁଇ ପିଲାଙ୍କୁ ନେଇ ଅଲଗା ରହୁଥିଲେ । ତାଙ୍କର ୧୩ ବର୍ଷର ପୁଅ ଏବଂ ୯ ବର୍ଷର ଝିଅ ଅଛନ୍ତି । ଦୁଇ ପିଲାଙ୍କୁ ଇନ୍ଦିରା ଏକା ପାଳୁଥିଲେ ।
ଦେହ ଅସୁସ୍ଥତା କାରଣରୁ ଇନ୍ଦିରା କିଛି ଦିନ ପୂର୍ବରୁ ଭଲ୍ୟୁଟାରୀ ରିଟାୟରମେଣ୍ଟ ନୋକୁ ପୋଲିସ ବିବାଗକୁ ଅନୁରୋଧ ମଧ୍ୟ କରିଥିଲେ । କିଛି ଦିନ ହେବ ଇନ୍ଦିରା ପୋଲିସ ଷ୍ଟେସନ ଆସୁନଥିଲେ । ଫଳରେ ଜଣେ ମହିଳା କନଷ୍ଟେବଳ ସୂଚନା ସଂଗ୍ରହ କରିବା ପାଇଁ ଇନ୍ଦିରାଙ୍କ ଘରକୁ ଯାଇଥିଲେ । ଘରେ ଦୁଇ ଜଣ ପିଲାଙ୍କୁ ଦେଖିବାକୁ ପାଇଥିଲେ । ଘର ଭିତରୁ ପ୍ରଚଣ୍ଡ ଦୁର୍ଘନ୍ଧ ଆସୁଥିଲା ।
ମହିଳା କନଷ୍ଟେବଳ ଦୁଇ ପିଲାଙ୍କୁ ଇନ୍ଦିରାଙ୍କ ବିଷୟରେ ପଚାରିଥିଲେ । ପିଲାମାନେ କହିଥିଲେ ମା’ ଶୋଇଛନ୍ତି ତାଙ୍କୁ ଉଠାଇବୁନାହିଁ । ନହେଲେ ଭଗବାନ ତାଙ୍କୁ କ୍ଷତି ପହଞ୍ଚାଇବେ । ସେଇଠୁ ମହିଳା କନଷ୍ଟେବଳଙ୍କୁ ସନ୍ଦେହ ହୋଇଥିଲା । ପୋଲିସ ପହଞ୍ଚି ଯାଞ୍ଚ କରିବାରୁ ଜଣାପଡିଲା ଯେ, ଇନ୍ଦିରାଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କ ଶବ ପାଖରେ ପୂଜା ସାମଗ୍ରୀ ପଡିଥିଲା । ୨୦ ଦିନ ପୂର୍ବରୁ ଇନ୍ଦିରାଙ୍କର ମୃତ୍ୟୁ ହୋଇଥିଲା । ଡିସେମ୍ବର ୭ ତାରିଖରେ ଇନ୍ଦିରା ବେହୋସ୍ ହୋଇଯାଇଥିଲେ । ପୂଜାରୀଙ୍କ କହିବା ଅନୁସାରେ ତାଙ୍କୁ ହସ୍ପିଟାଲ ନେଇ ନଥିଲେ ଘରଲୋକ । ପୂଜାରୀ ଜଣଙ୍କ ଇନ୍ଦିରାଙ୍କ ଆତ୍ମା ଫେରାଇ ଆଣିବାକୁ ୨୦ ଦିନ ଧରି ପୂଜାପାଠ କରିଥିଲେ ।