ଜମିବାଡି ବିବାଦରୁ ଟାଙ୍ଗିଆରେ ଆକ୍ରମଣ : ମା’ ମୃତ, ପୁଅ ଗୁରୁତର

Published By : Prameya-News7 Bureau | October 07, 2021 IST

ଦେବଗଡ ୭।୧୦: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଗାଡପାଳ ଗ୍ରାମରେ ହତ୍ୟାକାଣ୍ଡ । ଟାଙ୍ଗିଆ ଆକ୍ରମଣରେ ମା’ ମୃତ ଓ ପୁଅ ଗୁରୁତର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗାଡପାଳ ଗ୍ରାମର ବିଧବା ମହିଳା  ଦରଥିଆ କୁଲୁ ସ୍ବାମୀ ପ୍ରଫୁଲ୍ଲ କୁଲୁଙ୍କ ମୃତ୍ୟୁ ପରେ ନିଜ ପରିବାର ସହ ଗ୍ରାମରେ ରହୁଥିଲେ। ବୁଧବାର ରାତି ପ୍ରାୟ ୧୧ଟାରେ ଦରଥିଆଙ୍କ ପୁଅ ପ୍ରୀତମକୁ ପଡୋଶୀ ନିନ୍ଦରା ଶବର ଓ ତାଙ୍କ ପୁଅମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଦରଥିଆ ପୁଅକୁ ବଞ୍ଚାଇବାକୁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯିବାପରେ ବିବାହିତା ଝିଅ ପ୍ରିୟା, ମା’ ଓ ଭାଇଙ୍କୁ ରକ୍ତାକ୍ତ ଅବସ୍ଥାରେ ଘର ମଧ୍ୟରୁ ନେଇ ନିଜର ସମ୍ପର୍କୀୟଙ୍କୁ ଡାକିଥିଲେ। ପରେ ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମା’ ଦରଥିଆ କୁଲୁଙ୍କୁ  ମୃତ ଘୋଷଣା କରିଥିଲେ । ପୁଅ ପ୍ରୀତମ କୁଲୁଙ୍କୁ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ ଜମିବାଡି ବିବାଦ ଲାଗି ରହିଥିଲା ।  

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ କହିବା କଥା ରାତିରେ ତାଙ୍କ ଝିଅ ସହ ପ୍ରୀତମକୁ ପୋଖରୀ କୂଳରେ ଦେଖିବା ପରେ ନିନ୍ଦରା ଏନେଇ ଦରଥିଆଙ୍କୁ ଅଭିଯୋଗ କରିଥିଲେ । ଏନେଇ ଉଭୟ ପରିବାର ମଧ୍ୟରେ ବଚସା ହେବାରୁ ଅଭିଯୁକ୍ତମାନେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଦେବଗଡ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ନିନ୍ଦରା ଶବର, ତାଙ୍କ ସ୍ତ୍ରୀ ବାସନ୍ତୀ ଶବର ଓ ତାଙ୍କର ୪ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.