ପୁଅ ଘରୁ ତଡିଦେଲା, ଝିଅ-ଜ୍ୱାଇଁ ଘରେ ପୁରାଇଲେନି, ରାସ୍ତାରେ ଛଟପଟ ହୋଇ ଚାଲିଗଲା କରୋନା ସଂକ୍ରମିତ ମହିଳାଙ୍କ ଜୀବନ

Published By : Prameya-News7 Bureau | April 26, 2021 IST

ଲକ୍ଷ୍ନୌ,୨୬/୦୪: କରୋନା ଆକ୍ରାନ୍ତ ମାଆକୁ ଘରୁ ବାହାର କରିଦେଲା ପୁଅ । ରାସ୍ତାରେ ଛାଡିଦେଲେ ଝିଅ ଓ ଜ୍ୱାଇଁ । ଶେଷରେ ବିଳମ୍ବରେ ଚିକିତ୍ସା ପାଇ ଆଖି ବୁଜିଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର କାନପୁରରେ । ତେବେ ମହିଳାଜଣଙ୍କ ରାସ୍ତାରେ ପଡିଥିବା ବେଳେ କେହି ଭିଡିଓ ଉତ୍ତୋଳନ କରିଥିଲେ । ଯାହା ଭାଇରାଲ ହୋଇଥିଲା । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମହିଳାଜଣଙ୍କ ଜୀବନ ହାରିଥିଲେ ।

ସୂଚନାନୁସାରେ, କାନପୁରର କେଣ୍ଟ୍ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଅଭିଯୋଗ ହୋଇଛି ଯେ, ମହିଳାଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ଅଭିଯୁକ୍ତ ପୁଅ ମାଆକୁ ଚିକିତ୍ସା କରିବା ପାଇଁ ନେବା ବଦଳରେ ରାସ୍ତାରେ ଛାଡି ଦେଇଥିଲା । ରୁଗ୍ଣ ମାଆକୁ ମଧ୍ୟ ଝିଅ ଓ ଜ୍ୱାଇଁ ଘରେ ପୁରାଇ ନଥିଲେ । ଏହି ସମୟରେ ସେ ରାସ୍ତାରେ ହିଁ ମୃତ୍ୟୁ ସହ ଲଢୁଥିଲେ ।

ପୋଲିସ ସୂଚନା ପାଇବା ପରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଟେଷ୍ଟ୍ ପରେ ମହିଳା କୋଭିଜ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଘରର କୌଣସି ସଦସ୍ୟ ତାଙ୍କୁ ସାହାଯ୍ୟ କରିନଥିଲେ ବରଂ ଘରୁ ତଡି ଦେଇତିଲେ । ଏବେସୁଦ୍ଧା ମହିଳାଙ୍କ ମୃତଦେହ ନେବାକୁ ମଧ୍ୟ କେହି ଆସିନଥିବା କହିଛନ୍ତି ।

ଡିସିପି ଅନୁପ ସିଂ କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ମହିଳାଜଣଙ୍କ ରାସ୍ତାରେ ଛଟପଟ ହେଇଥିବା ନଜର ଆସିଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ତଦନ୍ତରେ ପୁଅ ହିଁ ମହିଳାଙ୍କୁ ରାସ୍ତାରେ ଛାଡିଥିବା ଜଣାପଡିଥିଲା । ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.