ବୃଦ୍ଧା ମା’ଙ୍କୁ ପାଖରେ ରଖିବାକୁ ରାଜି ହେଲେନି ୫ ପୁଅ : ଥାନାରେ ଏତଲା ଦେଲେ ମା’, ୩ ଗିରଫ, ୨ ଫେରାର

Published By : Prameya-News7 Bureau | June 03, 2021 IST

ରାଜଗଡ ୩।୬: କୁହାଯାଏ ଯେ ପିଲାମାନେ ବାପା-ମା’ଙ୍କ ବୃଦ୍ଧାବସ୍ଥାରେ ସାହାରା ହୁଅନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଜଣେ ବୃଦ୍ଧ ମା’ ସ୍ବାମୀଙ୍କ ମୃତ୍ୟୁ ପରେ ୫ ଜଣ ପୁଅ ଥାଉ ଥାଇ ମଧ୍ୟ ବାର ଦୁଆର ଶୁଣ୍ଢିପିଣ୍ଢା ହେବାକୁ ପଡୁଛି । ତାଙ୍କୁ କେହି ପୁଅ ତାଙ୍କ ସହିତ ରଖିବାକୁ ଚାହୁଁନାହାନ୍ତି । ଶେଷରେ ବୃଦ୍ଧା ମା’ ପୋଲିସର ନିକଟରେ ୫ ପୁଅଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରିଥିଲା । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ୩ ପୁଅଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣଙ୍କୁ ଖୋଜୁଛି ପୋଲିସ ।

ବୃଦ୍ଧ ରାମକୁଅଁର ବାଇ ରାଜଗଡ ଜିଲ୍ଲାର ଦେବଖେଡି ଗାଁର ବାସିନ୍ଦା । ସେ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଛି । ତାଙ୍କର ୫ ଜଣ ପୁଅ ଅଛନ୍ତି । ସେମାନେ ବିବାହ ପରେ ଅଲଗା ହୋଇଯାଇଛନ୍ତି । କିନ୍ତୁ ବୃଦ୍ଧ ମା’ଙ୍କୁ ସାଙ୍ଗରେ ରଖିବାକୁ କେହି ପ୍ରସ୍ତୁତ ନୁହଁନ୍ତି ।

ଏଭଳି ପରିସ୍ଥିତିରେ ବୃଦ୍ଧାବସ୍ଥାରେ ତାଙ୍କର କୌଣସି ଉପାୟ ନାହିଁ । ଅସହାୟ ରାମକୁଅଁର ବାଇ ଖିଲଚିପୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ପୋଲିସକୁ ନିଜ ଯନ୍ତ୍ରଣା କହିଥିଲେ । ପୋଲିସ ୫ ପୁଅଙ୍କୁ ଡାକି ବୁଝାଇଥିଲା । ମାତ୍ର କେହି ବୁଝିନଥିଲେ । କେହି ହେଲେ ମା’କୁ ପାଖରେ ରଖିବା ପାଇଁ ରାଜି ହୋଇନଥିଲେ । ଫଳରେ ପୋଲିସ ୫ ପୁଅଙ୍କ ବିରୋଧରେ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.