ଘରୋଇ କଳହ ନେଲା ଜୀବନ, ସାବତ ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

Published By : Prameya-News7 Bureau | July 20, 2020 IST

ନବରଙ୍ଗପୁର ୨୦।୭: ସାବତ ମା’କୁ ହତ୍ୟା କଲା ପୁଅ । ନବରଙ୍ଗପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ସହର ଗାଦବାଗୁଡା ସାହିର  ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର  ନିଜ ସାବତ ମା’ ରୁନୀ ମହାପାତ୍ରଙ୍କ ତଣ୍ଟି ଚିପି ହତ୍ୟା କରିଥିବା  ଅଭିଯୋଗ ହୋଇଛି । ଶ୍ରୀଧରଙ୍କ  କହିବା  ଅନୁସାରେ ସେ ତାଙ୍କ ହୋଟେଲ ଲାଗି ସୋରିଷ ବାଟିବା ପାଇଁ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ତାଙ୍କ ସାନ ପୁଅ ବଡ଼ ଭାଇ ସୂର୍ଯ୍ୟକାନ୍ତ ନିଜ ସାବତ ମା’ଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ନେଇ ସୂଚନା ଦେଇଥିଲେ ।  ଶ୍ରୀଧର ଖବର ପାଇ ଘରେ ଆସିବା ପହଞ୍ଚିବା ପରେ ଗାମୁଛାରେ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୁଅ ସ୍ବୀକାର କରିବା ସହ  ବାପାଙ୍କୁ  ଗୋଡଧରି କ୍ଷମା ମାଗିଥିଲେ । ମୃତ ସାବତ ମା’ ରୁନିଙ୍କ ସହ ପୂର୍ବ ପତ୍ନୀଙ୍କ ପୁଅ ଝିଅଙ୍କ ବିବାଦ ଲାଗିରହୁଥିବା ବେଳେ ଘରୋଇ ସମ୍ପତିକୁ ତାଙ୍କ ନାଁରେ କରିବାକୁ ଦାବି କରି ଆସୁଥିଲେ ଏବଂ ଏହି କାରଣରୁ ସୂର୍ଯ୍ୟକାନ୍ତ ତା ସାବତ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପା ଶ୍ରୀଧର   ।

ଗତ ଚାରି ପାଞ୍ଚ ମାସ ପୂର୍ବରୁ ଏହି ବିବାଦ ଆରମ୍ଭ ହୋଇଥିଲା ଯାହା ଆଜି ଉଗ୍ର ରୂପ ଧାରଣ କରିଥିଲା ଏବଂ ଶେଷରେ ଘରେ କେହି ନ ଥିବାବେଳେ ତାଙ୍କ ପୁଅ ସୂର୍ଯ୍ୟକାନ୍ତ  ସାବତ ମା’କୁ ଏକ ଗାମୁଛା ସାହାଯ୍ୟରେ ତଣ୍ଟି ଚିପି  ହତ୍ୟା କରିଥିବା ପ୍ରକାଶ କରିଛନ୍ତି ଶ୍ରୀଧର । ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ଏବଂ ଏଥିରେ ଆହୁରି ତାଙ୍କ ଅନ୍ୟ ପୁଅ ଝିଅ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି ।  ଏହି ହତ୍ୟାକାଣ୍ଡ   ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ପୁଅକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।  ସୂଚନା ଅନୁସାରେ ଶ୍ରୀଧର  ମହାପାତ୍ରଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁପରେ ସେ ରୁନି ମହାପାତ୍ରଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କ  ଦୁଇ ପୁଅ ଓ ଦୁଇଝିଅ ଥିଲେ ।  ଦ୍ଵିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ଅଛି । ଶ୍ରୀଧରଙ୍କ ଦ୍ଵିତୀୟ ପତ୍ନୀ ବିବାହ ପରେ ଘରେ ସବୁବେଳେ କଳହ ଲାଗିରହୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.