ଏମିତି ବି ଆସେ ମୃତ୍ୟୁ: ଭଲ ହେବାକୁ ମେଡିକାଲ ଯାଇଥିଲେ, ଫେରିବା ସମୟରେ ଦୁର୍ଘଟଣାରେ ଚାଲିଗଲା "ମା" ର ଜୀବନ, ପୁଅ ଆହତ

Published By : Prameya-News7 Bureau | May 11, 2021 IST

ପାଟଣା, ୧୧/୦୫: କେନ୍ଦୁଝର ଜିଲ୍ଲା ପାଟଣା-କେନ୍ଦେଇପଶି ରାସ୍ତାର ତୁରୁମୁଙ୍ଗା ଥାନା କେନ୍ଦେଇପଶି ପେଟ୍ରୋଲ ପମ୍ପ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଙ୍ଗଳବାର ଅପରାହ୍ନରେ ବାଇକ ଦୁର୍ଘଟଣା ଘଟି ମାଆର ମୃତ୍ୟୁ ହୋଇଥିବା ବେଳେ ପୁଅ ଆହତ ହୋଇଛି । ମୃତକ ପାଟଣା ଥାନା ଟାଙ୍ଗରପଡା ଗ୍ରାମର  ବ୍ରଜବନ୍ଧୁ ସାହୁଙ୍କ ସ୍ତ୍ରୀ ବାସନ୍ତୀ ସାହୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାସନ୍ତୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ପୁଅ ସୁଦାମ ଚରଣ ସାହୁଙ୍କ ସହ କେନ୍ଦୁଝର ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ସାରି ବାଇକରେ ଫେରୁଥିବା ବେଳେ ରାସ୍ତା ଉପରେ ବାଇକ ଆଗକୁ ଛେଳି ପଶିଆସିବାରୁ ଦୁର୍ଘଟଣା ଘଟିଥିଲା ।

ଫଳରେ ବାଇକ ପଛରେ ବସିଥିବା ବାସନ୍ତୀ ଗାଡ଼ିରୁ ଛିଟିକି ପଡ଼ିବାରୁ ପିଚୁ ରୋଡ଼ ଉପରେ ତାଙ୍କର ମୁଣ୍ଡ ବାଡେଇ ହୋଇ ଯାଇଥିଲା । ପ୍ରବଳ ରକ୍ତସ୍ରାବ ହେବା ହେତୁ ସେ ଗୁରୁତର ହୋଇ ପଡ଼ିଥିଲେ । ସେହି ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ବାସନ୍ତୀଙ୍କ ମୃତ୍ୟୁକୁ ନେଇ ଟାଙ୍ଗରପଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.