କରୋନାରେ ସୁଖଦୁଃଖ ଏମିତି : ପୁରା ପରିବାର କୋଭିଡ୍ ସଂକ୍ରମିତ, ଯମଜ ସନ୍ତାନକୁ ଜନ୍ମ ଦେବା ପରେ ମାଆର ମୃତ୍ୟୁ

Published By : Prameya-News7 Bureau | September 16, 2020 IST

ଝାରସୁଗୁଡା,୧୬ ।୦୯:   ଝାରସୁଗୁଡା ଜିଲ୍ଲାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତ ଥିବା ମାଆ ଜନ୍ମ ଦେଇଥିଲେ ଦୁଇଟି ଯମଜ ସନ୍ତାନ । ତେବେ  ଜନ୍ମ ଦେବାର କିଛି ସମୟ ପରେ ସେ ଆଖି ବୁଜିଥିଲେ । ଆଖି ବୁଜିବା ପରେ ଦୁଇ ନବଜାତ ଶିଶୁଙ୍କ ପାଇଁ ସମସ୍ୟା ବଢିଯାଇଛି  ।

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ପଞ୍ଚଗାଁର ଜଣେ ମହିଲା ଗତ ୬ ତାରିଖରେ ବିଭିନ୍ନ ହସ୍ପିଟାଲ ବୁଲିବା ପରେ କରୋନାରେ ସଂକ୍ରମିତ ଥିବା ବୁର୍ଲାରେ ଜଣା ପଡିଥିଲା ।  ପରେ ତାଙ୍କୁ ସମ୍ବଲପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ ୭ ତାରିଖରେ ସେ ଦୁଇଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।  ଦୁଇ ଶିଶୁଙ୍କୁ ଜନ୍ମ ଦେବା ପରେ ମା ଓ ଶିଶୁଙ୍କୁ ଅଲଗା ରଖାଯାଇଥିଲା । ମାଆଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଇଥିବା ବେଳେ ଦୁଇ ଯମଜ ସନ୍ତାନ କମ୍ ଓଜନର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ।

ନବଜାତ ଶିଶୁଙ୍କ ବାପା ,ଅଜା,ଆଇ,ଜେଜେ ଓ ଜେଜେ ମାଆ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲା ବେଳେ ଶିଶୁ ଦୁଇଟି ଡାକ୍ତରଙ୍କ ହେପାଜତରେ ଥିଲେ । କିନ୍ତୁ ଗତ ମଙ୍ଗଳବାର ରାତିରେ ଦୁଇ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣକ ଦେହରେ କୋଭିଦ ଭୁତାଣୁ ରହିଥିବା ଜଣା ପଡିବା ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଶିଶୁଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଶିଶୁଦୁଇଟିଙ୍କ ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ପରିବାର ସଦସ୍ୟ କରୋନା ଆକ୍ରାନ୍ତ ଯୋଗୁଁ ସେମାନଙ୍କ ନିକଟ ସଂପର୍କୀୟ ଭୁବନେଶ୍ୱରରେ ରହି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.