ସତ ନା ଷଡ଼ଯନ୍ତ୍ର: କୁଆଡ଼େ ଗାଏବ ହୋଇଗଲେ ମାଆ-ଝିଅ, ନଈ ସାରା ଘାଣ୍ଟି ଉଦ୍ଧାରକାରୀ ଫେଲ୍, ସ୍ବାମୀ କହିଲେ, 'ମୋତେ ଫସାଇବାକୁ ପ୍ଲାନ୍‌'

Published By : Prameya-News7 Bureau | July 04, 2020 IST

ସମ୍ବଲପୁର୪/୭: ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୂଜା ଅଗ୍ରଓ୍ବାଲ ଏବଂ ତାଙ୍କ ଝିଅ ନିଖୋଜ ଘଟଣା ଅଧିକ ରହସ୍ୟବୃତ ହେବାରେ ଲାଗିଛି। ଗୁରୁବାର ପୂଜାଙ୍କ ମାଆ ମୀନା ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିବା ବେଳେ ଗତକାଲି ପୂଜାଙ୍କ ସ୍ବାମୀ ବାପଘର ଲୋକଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗରେ କରିଛନ୍ତି ଯେ, ପୂଜା ଏବଂ ତାଙ୍କ ଝିଅକୁ ବାପଘର ଲୋକେ ଗାଏବ କରି ଦେଇଛନ୍ତି। ଏନେଇ ସେ ଗତକାଲି  ଅନଲାଇନ୍‌ ଯୋଗେ କେସିଙ୍ଗା ଥାନାରେ ଏକ ଅଭିଯୋଗ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେପଟେ ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ପୂଜାଙ୍କ ପତ୍ତା ମିଳିନି।

ସୂଚନା ଅନୁସାରେ ଧମା ଥାନା ଅଞ୍ଚଳରେ ପୂଜା ଅଗ୍ରଓ୍ବାଲଙ୍କ ଶାଶୁ ଘରୁ ଫେରିଲା ପରେ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ସେ ସ୍ବାମୀଙ୍କ ସହ କଥା ହୋଇଥିଲେ। ପରେ ପୂଜା ନିଜର ୩ ବର୍ଷର ଝିଅକୁ ପାଖ ମାର୍କେଟରେ ବୁଲାଇ ଆରିବା କହି ସ୍କୁଟି ଧରି ବାହାରିଥିଲେ। ପରେ ତାଙ୍କ ସ୍କୁଟି ଚପଲ ଏବଂ ମୋବାଇଲ୍ ଫୋନ୍ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁପୁର ସେତୁ ଉପରୁ ସ୍ଥାନୀୟ ଲୋକେ ସନ୍ଦେହଜନକ ଭାବେ ଦେଖିବାକୁ ପାଇଥିଲେ। ସେ ମହାନଦୀରେ ଡ଼େଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଘର ଲୋକେ ଆଶଙ୍କା କରିଥିଲେ।

ସେପଟେ ଗତ ୧ ତାରିଖ ଦିନ ପୂଜାଙ୍କୁ ତାଙ୍କ ସ୍ବାମୀ ବରୁଣ ଅଗ୍ରଓ୍ବାଲ ଏବଂ ଶାଶୁ ବାରମ୍ବାର ମାନସିକ ଏବଂ ଶାରିରୀକ ନିର୍ଯାତନ ଦେଉଥିବା ନେଇ ପୂଜାଙ୍କ ମାଁ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ମାଆଙ୍କ ଅଭିଯୋଗ ମୁତାବକ ସ୍ବାମୀ ବରୁଣ ତାଙ୍କ ସୌନ୍ଦର୍ଯ୍ୟତା ପ୍ରତି ଲାଞ୍ଛନା ଲଗାଇବା ସହ ମାରପିଟ କରୁଥିବା  ନେଇ ଅଭିଯୋଗ କରିଥିଲେ। ଏହି ମାନସିକ ଚାପ ଯୋଗୁଁ ସେ ମହାନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ।

ଏପଟେ ଘଟଣା ପୁଣି ନୂଆ ମୋଡ ନେଇଛି। ପୂଜାଙ୍କ ସ୍ବାମୀଙ୍କ ଅଭଯୋଗ ଅନୁସାରେ  ତାଙ୍କ ଭାଇ ସୁମିତ ଗତ ୨୨ ତାରିଖ ଦିନ କେସିଙ୍ଗାସ୍ଥିତ ଘରୁ ନେଇ ଯାଇଥିଲେ। ପରେ ଗତ ୨୯ ତାରିଖ ଦିନ ଟାଉନ ଥାନା ମହାନଦୀ ସେତୁ ଉପରୁ ସନ୍ଦେହଜନକ ଭାବେ ସ୍କୁଟି ଏବଂ ଚପଲ ମିଳିଥିବା ନେଇ ଖବର ଦେଇଥିଲେ। ତେବେ ପୂଜା ଓ ତାଙ୍କ ଝିଅଙ୍କୁ ବାପଘର ଲୋକ ଗାଏବ କରି ଦେଇଥିବା ନେଇ ସ୍ବାମୀ କେସିଙ୍ଗା ଥାନାରେ ଅନଲାଇନ୍ ଯୋଗେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି। ଫଳରେ ଘଟଣାଟି ଅଧିକ ବିବାଦୀୟ ହୋଇ ପଡିଥିବା ବେଳେ ଉଭୟ ପରିବାର ମଧ୍ୟରେ ତକ୍ତତା ବଢ଼ିବାରେ ଲାଗିଛି। ଅପରପକ୍ଷେ ଶନିବାର  ମାଆ-ଝିଅଙ୍କ ପତ୍ତା ମିଳିନଥିବା ବେଳେ ପୋଲିସ୍ ମହାନଦୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଥାନାକୁ ଉଭୟଙ୍କ ଫଟେଶ ପଠାଇଥିବା ନେଇ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.