ମିଲିଲାନି ମାଆ-ଝିଅଙ୍କ ଚିହ୍ନବର୍ଣ୍ଣ: ହାତ ଟେକି ଦେଲା ପୋଲିସ୍

Published By : Prameya-News7 Bureau | August 07, 2020 IST

ସମ୍ବଲପୁର ୭/୮: ଚାଉଁରପୁର ମହାନଦୀ ଦ୍ୱିତୀୟ ପୋଲ ଉପରୁ ବହୁଚର୍ଚ୍ଚିତ ମା-ଝିଅ ନିଖୋଜ ଘଟଣାକୁ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କର ଚିହ୍ନବର୍ଣ୍ଣ ପାଇନି ପୁଲିସ । ଫଳରେ ସମ୍ପୂର୍ଣ୍ଣ ଘଟଣା ଏବେ ରହସ୍ୟ ଘେରକୁ ଠେଲି ହୋଇଯାଇଛି । ଗତ ଜୁନ ମାସ ୨୯ ତାରିଖ ଦିନ କେସିଙ୍ଗା ଅଞ୍ଚଳର ପୂଜା ଅଗ୍ରୱାଲ ତାଙ୍କ ୩ ବର୍ଷର ଝିଅକୁ ଆଣି ଧମା ସ୍ଥିତ ବାପଘରକୁ ଆସିଥିବା ବେଳେ ମହାନଦୀ ଦ୍ୱିତୀୟ ସେତୁ ଉପରୁ ରହସ୍ୟ ଜନକ ଭାବେ ତାଙ୍କର ସ୍କୁଟି ଏବଂ ଚପଲ ମିଳିଥିଲା । ପୂଜା ତାଙ୍କର ଝିଅକୁ ଧରି ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରିଥିଲା । ଏନେଇ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ ପ୍ରାୟ ୭୨ ଘଣ୍ଟା ପ୍ରର୍ଯ୍ୟନ୍ତ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲା ।

ସୂଚନା ଅନୁସାରେ ଧମା ଥାନା ଅଞ୍ଚଳର ପୂଜା ଅଗ୍ରୱାଲ ଗତ କିଛିବର୍ଷ ତଳେ କଳାହାଣ୍ଡି କେସିଙ୍ଗା ଅଞ୍ଚଳର ବରୁଣ ଅଗ୍ରୱାଲଙ୍କୁ ବିବାହ କରିଥିଲେ । ତେବେ ଗତ ଜୁନ ମାସ ୨୨ ତାରିଖରେ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ଧମା ସ୍ଥିତ ନିଜ ବାପା ସରଜୁ ଅଗ୍ରୱାଲଙ୍କ ଘରକୁ ବୁଲି ଆସିଥିଲେ । ପରେ ୨୯ ତାରିଖ ଦିନ ସକାଳ ପ୍ରାୟ ୧୨ଟା ସମୟରେ ସେ ନିଜର ୩ ବର୍ଷର ଝିଅକୁ ପାଖ ମାର୍କେଟରେ ବୁଲାଇ ଆଣିବା କହି ସ୍କୁଟି ଧରି ବାହାରିଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ପରେ ତାଙ୍କର ସ୍କୁଟି ( ଓଡି-୧୫-କ୍ୟୁ-୩୫୫୬) ଏବଂ ହଳେ ଚପଲ ଟାଉନ ଥାନା ଅନ୍ତର୍ଗତ ମହାନଦୀ ଚାଉଁରପୁର ସେତୁ ଉପରୁ ସ୍ଥାନୀୟ ଲୋକେ ସନ୍ଦେହଜନକ ଭାବେ ଦେଖିବାକୁ ପାଇଥିଲେ। ପରେ ଟାଉନ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା । ପରଦିନ ଓଡ୍ରାଫ ମଧ୍ୟ ୨ ଦିନ ପର୍ଯ୍ୟନ୍ତ ଖୋଲିଥିଲେ ମଧ୍ୟ ମା ଏବଂ ଝିଅଙ୍କ ପତ୍ତା ମିଳିନଥିଲା ।

ଏପଟେ ଦୁଇଟି ପରିବାର ମଧ୍ୟ ବିବାଦ ବଢିଚାଲିଥିଲା । ଏପରିକି ପୂଜାଙ୍କ ମା ଧମା ଥାନାରେ ଏତଲା ଦେଇଥିବା ବେଳେ ବରୁଣ ମଧ୍ୟ କେସିଙ୍ଗା ଥାନାରେ ବାପା ଘର ନାଁରେ ଅନ୍‌ଲାଇନ୍‌ରେ ଏତଲା ଦେଇଥିଲେ । ତେବେ ଘଟଣାକୁ ପ୍ରାୟ ୧ ମାସ ଉପରେ ବିତିଯାଇଥିଲେ ମଧ୍ୟ ପୁଲିସ ବର୍ତ୍ତମାନ ସୁଦ୍ଧା ପୁରା ଘଟଣା ଚେର ସାମ୍ନାକୁ ଆଣିବାରେ ବିଫଳ ହୋଇଛି । ଏପରିକି ମାସ ବିତିଯାଇଥିଲେ ମଧ୍ୟ ପୂଜାଙ୍କ ପତ୍ତାପାଇ ପାରିନି ପୁଲିସ । ଫଳରେ ଦିନ ଗଡିବା ସଙ୍ଗେ ସଙ୍ଗେ ପୂଜା ଅଗ୍ରୱାଲ ନିଖୋଜ ଘଟଣାର ରହସ୍ୟ କ୍ରମଶ ବଢିବାରେ ଲାଗିଛି । ଏପରିକି ପୁଲିସର ତଦନ୍ତ ପକ୍ରିୟା ଉପରେ ପରିବାର ଲୋକ ସନ୍ଦେହ ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.