କାଲିମେଳାରେ ଅଭାବନୀୟ ଘଟଣା: ମଦ ନିଶାରେ ଚୁର ମା କାଟିଲା ପୁଅ ଓ ଝିଅଙ୍କ ବେକ
28/03/2019 at 8:45 PM

ମାଲକାନଗିରି ୨୮|୩: ମାଲକାନଗିରି ଜିଲ୍ଲା କାଲିମେଳାର ସିନ୍ଧିଗୁଡା ଗାଁରେ ଆଜି ଅପରାହ୍ନରେ ଘଟିଛି ଅଭାବନୀୟ ଘଟଣା । ମଦ ନିଶାରେ ଚୁର ଜଣେ ମା ନିଜ ପୁଅ ଓ ଝିଅର ବେକକୁ ଧାରୁଆ ଅସ୍ତ୍ର ସାହାର୍ଯ୍ୟରେ କାଟିବା ସହ ନିଜ ବେକକୁ ମଧ୍ୟ କାଟି ଦେଇଛି । ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ମାଲକାନଗିରି ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ସୂଚନାଯୋଗ୍ୟ ଯେ, ସିନ୍ଦିଗୁଡା ଗାଁର ଦେବା କୱାସୀଙ୍କ ପତ୍ନୀ ଗାଙ୍ଗି କୱାସି ଆଜି ଅପରାହ୍ନରେ ୬ବର୍ଷର ଝିଅ ପୂଜା କୱାସି , ୪ବର୍ଷର ପୁଅ ବିକାଶ କୱାସି ଏବଂ ୨ବର୍ଷର ଆଉ ଏକ ଝିଅକୁ ଧରି ମହୁଲ ଗୋଟାଉଥିଲା । ମହୁଲ ଗୋଟାଇବା ବେଳକୁ ଗାଙ୍ଗି କୱାସି ନିଶାରେ ଚୁର ଥିଲା । ପିଲାଙ୍କୁ ପାଖକୁ ଡାକି ସେମାନଙ୍କୁ ବେକକୁ ଆକ୍ରମଣ କରିଥିଲା । ଦୁଇ ପୁଅ ଝିଅ ମାର ଆକ୍ରମଣରେ ଆହତ ହୋଇ ଦୌଡି ଦୌଡି ଦୂରକୁ ଚାଲିଯାଇଥିବାବେଳେ ନିଜେ ଗାଙ୍ଗି ନିଜ ବେକକୁ ମଧ୍ୟ କାଟି ଦେଇଥିଲା ।

ଖବର ପାଇ ବାପା ଦେବ କୱାସି ଘଟଣାସ୍ଥଳରେ ପହଞ୍ଚି ତିନି ଆହତଙ୍କୁ ପ୍ରଥମେ କାଲିମେଳା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ମାଲକାନଗିରି ହସ୍ପିଟାଲରେ ଆହତ ପୁଅ ବିକାଶଙ୍କର ବେକରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ମା ଗାଙ୍ଗି ଓ ଝିଅ ପୂଜାର ଚିକିତ୍ସା କରାଯାଛି ।
କାଲିମେଳା ପୋଲିସ ଘଟଣାକୁ ନେଇ ଗାଙ୍ଗି କୱାସି ବିରୋଧରେ ଶିଶୁ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିଛି । ପୂର୍ବରୁ ମଧ୍ୟ ଗାଙ୍ଗି ମଦ ପିଇ ଏଭଳି ଛୋଟମୋଟ କାରନାମା କରିଥିବା ସ୍ବାମୀ ଦେବା କାୱାସି କହିଛନ୍ତି ।