ପୁଅର ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା : ଘରେ ପଶି ଶାଶୁଙ୍କୁ ବିବସ୍ତ୍ର କରି ପିଟିଲେ ବୋହୂର ପରିବାର ଲୋକେ

Published By : Prameya-News7 Bureau | November 16, 2020 IST

ଦରଭଙ୍ଗା ୧୬/୧୧: ଦୀପାବଳି ଦିନ ବିହାରର ଦରଭଙ୍ଗାରୁ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ଜଣେ ମାଙ୍କୁ ବିବସ୍ତ୍ର କରି ମାଡ଼ ମରାଯାଇଛି। ଏହା ପଛରେ କାରଣ ହେଉଛି ଯେ ସେହି ପୀଡ଼ିତ ମହିଳାଙ୍କ ପୁଅ ପ୍ରେମ ବିବାହ କରି ବିବାହ ପରେ ଫଟୋ ଭାଇରାଲ୍ କରିଥିଲେ।

ସୂଚନା ମୁତାବକ ଏଥିରେ ରାଗିଯାଇ ଯୁବତୀଙ୍କ ପରିବାର ଲୋକେ ତାଙ୍କ ଘରେ ପଶି ତାଙ୍କ ମାଙ୍କୁ ବିବସ୍ତ୍ର କରି କେଶ କାଟି ଦେଇଥିଲେ। ତାଙ୍କୁ ମାଡ଼ପିଟ ମଧ୍ୟ କରାଯାଇଥିଲା। ଜଣେ ଅନ୍ୟ ଜାତିର ବ୍ୟକ୍ତି ତାଙ୍କ ମଥାରେ ସିନ୍ଦୂର ଦେଇଥିଲା। ମାଳା ମଧ୍ୟ ପିନ୍ଧାଇଥିଲା। ପୀଡ଼ିତ ମହିଳାଙ୍କ ସ୍ବାମୀ ଏହି ଘଟଣାରେ ଏତେ ଡରି ଯାଇଥିଲେ ଯେ ଘରୁ ପଳାଇ ଯାଇଥିଲେ। ଏଥିରେ ତାଙ୍କୁ ରକ୍ଷା କରିବାକୁ ଆସିଥିବା ପୀଡ଼ିତଙ୍କ ଶାଶୁ,ସାନ ଯାଆ ଏବଂ ଅନ୍ୟ ୨ପୁଅକୁ ମଧ୍ୟ ମାଡ଼ ମରାଯାଇଥିଲା।

ଯୁବତୀଙ୍କ ପରିବାର ଲୋକେ ଘର ଭିତରେ ପଶି ଲୁଟ ମଧ୍ୟ କରିଥିଲେ। ମହିଳାଙ୍କ ସହ ହୋଇଥିବା ଅମାନବୀୟ ଘଟଣାରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଯୁବତୀଙ୍କ ପରିବାର ଲୋକ ଏବଂ ଯୁବକଙ୍କ ପରିବାର ଲୋକଙ୍କ ତରଫରୁ ମାମଲା ରୁଜୁ କରାଯାଇଛି। ଦୁଇଟି ମାମଲାର ତଦନ୍ତ ଚାଲିଛି। ଆହତ ମହିଳା ଏବଂ ଶାଶୁଙ୍କୁ ଦରଭଙ୍ଗା ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଧାରପୁର ଗାଁର ଉମେଶ ଝାଙ୍କ ପୁଅ ସୋନୁଙ୍କ ପଡ଼ୋଶୀ ଘରର ଅରୁଣ ଝାଙ୍କ ଝିଅ ବିନ୍ଦିୟା ସହ ପ୍ରେମ ସମ୍ପର୍କ ଥିଲା। ବିନ୍ଦିୟାଙ୍କ ବାପା ମାଆ ଦିଲ୍ଲୀରେ ରୁହନ୍ତି। ବିନ୍ଦିୟା ତାଙ୍କ ଖୁଡ଼ିଙ୍କ ସହ ରହୁଥିଲେ। ନଭେମ୍ବର ୧୨ତାରିଖରେ ଯୁବତୀ କୌଣସି ପରୀକ୍ଷା ଥିବା କହି ଘରୁ ବାହାରିଥିଲେ ଏବଂ ସନ୍ଧ୍ୟା ସୁଦ୍ଧା ଫେରିନଥିଲେ।

ପରିବାର ଲୋକେ ସମସ୍ତ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ। ଯୁବତୀଙ୍କ ଖୋଜ ଖବର ନ ମିଳିବାରୁ ତାଙ୍କ ଖୁଡ଼ୀ ଘନଶ୍ୟାମପୁର ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ। ଏଥିରେ ୭ଜଣଙ୍କ ନାଁ କୁହାଯାଇଛି। ଯୁବକ ଶନିବାର ଦିନ ୧୧ଟାରେ ବିବାହର ଫଟୋ ଭାଇରାଲ୍ କରିଥିଲେ। ଏଥିରେ ରାଗିଯାଇ ଯୁବତୀଙ୍କ ପରିବାର ଯୁବକଙ୍କ ଘରେ ଅମାନବୀୟ କାଣ୍ଡ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.