ଝୁଲି ପଡିଛି ମା, ବୁଝି ପାରୁନି ଦୁଇ ବର୍ଷର ଅବୋଧ ଶିଶୁ, ରାତି ସାରା ମା ହାତକୁ ଧରି କାନ୍ଦୁଛି... ଭଗବାନ ଏତେ ଦୁଃଖ କାହିଁକି ଦିଅନ୍ତି ?

Published By : Prameya-News7 Bureau | November 06, 2021 IST

କଳାହାଣ୍ଡି ୦୬।୧୧: ମା ଲୋ... ଏ ମା...। କାନ୍ଦି ଚାଲିଥିଲା ଦୁଇ ବର୍ଷର ଶିଶୁ ପୁତ୍ର। ହେଲେ ମା କଣ ଉଠୁଛି, ନା ମା ଶୁଣି ପାରୁଛି ପୁଅର ଆକୁଳ କାନ୍ଦ। ମା ସିନା ଉଠୁନଥିଲା ହେଲେ ଶିଶୁଟି ମାର ହାତ ଛାଡି ନଥିଲା। ଏମିତି ମାର ହାତ ଜାବୁଡି ଧରି ରାତିସାରା କଟାଇଛି ନିଷ୍ପାପ  ଶିଶୁ। ମାର ମୃତଦେହ ଝୁଲୁଥିବା ବେଳେ ଶିଶୁଟି ମାର ହାତ ଧରି ଛିଡା ହୋଇଥିବାର ହୃଦୟସ୍ପର୍ଶୀ ଏବଂ ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଥାନା ଅନ୍ତର୍ଗତ ଦର୍ପଣ ସାଗର ପଡାରେ ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦର୍ପଣ ସାଗର ପଡାରେ ଏକ ଭଡା ଘରୁ ଶନିବାର ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ମହିଳା ବେକରେ  ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ହେଲେ ରାତି ସାରା ଶିଶୁଟି ମାଁର ହାତକୁ ଜାବୁଡି ଧରି କଟାଇଛି। ଶିଶୁ ଭାବୁଥିଲା ମା ଉଠିବ। ହେଲେ ମା ଉଠିନଥିଲା। ସବୁ ଦିନ ପାଇଁ ପୁଅକୁ ଛାଡି ଚାଲି ଗଲା। ଏହି ଦୃଶ୍ୟ ଘଟଣାସ୍ଥଳରେ ଥିବା ଲୋକଙ୍କୁ ବହୁତ ମର୍ମାହତ କରିବା ସହ ଭାବ ବିହ୍ଵଳ କରି ପକାଇଛି। ଯିଏ ଏହି ଦୃଶ୍ୟ ସହ ଶିଶୁକୁ ଦେଖୁଛି ତାର ହୃଦୟ ତରଳି ଯାଉଛି।

{"id":539566,"sizeSlug":"full","linkDestination":"none"}

ସାହି ପଡିଶାଙ୍କଠୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ମହିଳାଙ୍କ ନାମ ରମ୍ବା ରାଉତ।  ମହିଳା କିଛି ଦିନ ହେବ ନିଜ ୨ ବର୍ଷର ଶିଶୁ ପୁତ୍ର ସହ ଏକୁଟିଆ ଭଡାଘରେ ରହୁଥିଲେ। ମହିଳାଙ୍କ ପ୍ରଥମ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିଥିଲେ। ତେଣୁ ପାରିବାରିକ ବିବାଦ କାରଣରୁ ମହିଳା ଆତ୍ମହତ୍ୟା କରିଥିବା କୁହାଯାଉଛି।

ଅନ୍ୟପଟେ ଦ୍ଵିତୀୟ ସ୍ଵାମୀ ଶିଶୁଟି ତାଙ୍କର ନୁହେଁ ଏବଂ ତାକୁ ନିଜର ପୁଅ ବୋଲି ମାନିବାକୁ ପ୍ରସ୍ତୁତ ନୁହେଁ ବୋଲି କହିଛନ୍ତି। ତେଣୁ ସ୍ଵାମୀଙ୍କ ସହ ପାରିବାରିକ କଳହରୁ ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏବେ ପ୍ରଶାସନ ଶିଶୁର ଥାଇଥାନ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛି। ହେଲେ ମୃତ ମହିଳା ପରେ ଶିଶୁର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.