ମୋ ବାଇଆ ପୁଅ ବଞ୍ଚିବ କେମିତି ? ବିଧବା ମା’ର ବିକଳ ଅନୁରୋଧ…

Published By : Prameya-News7 Bureau | November 17, 2020 IST

ସାଲେପୁର ୧୭।୧୧: ବାର୍ଦ୍ଧକ୍ୟ ଓ ଅସହାୟତା ସମୟରେ ପୁଅ-ଝିଅ ଦେଇଥାନ୍ତି , ହୋଇଥାନ୍ତି ବଞ୍ଚିବାର ସାହାରା । କିନ୍ତୁ ଏଠାରେ ସ୍ଥିତି ପୂରା ଓଲଟା । ପୁଅକୁ ପରିଣତ ବୟସରେ ବି ସାହାରା ଦେବାକୁ ବାଧ୍ୟ ହେଉଛନ୍ତି ବିଧବା ମାଆ । ଭେଣ୍ଡିଆ ପୁଅକୁ ଏ ବୟସରେ ବି ଖୁଆଇପିଆଇ ଯତ୍ନ ନେବାକୁ ପଡୁଛି । କିନ୍ତୁ ଯନ୍ତ୍ରଣା ବଳିଗଲାଣି , ମାର ସ୍ନେହ ଉପରେ ଭାରିପଡିଛି ଅଭାବ । କେମିତି ପୁଅକୁ ବଞ୍ଚାଇରଖିବ , ନିଜେ କିପରି ବଞ୍ଚିବ । ଏହି ପ୍ରଶ୍ନର ଉତ୍ତର ଯେତିକି ଅନିଶ୍ଚିତ , ଆସନ୍ତାକାଲି ପାଇଁ ଆଶଙ୍କା , ତାହାଠୁ ଆହୁରୀ ଯନ୍ତ୍ରଣାଦାୟକ ।  ଏପରି କିଛି ଛାତିଥର ଦୃଶ୍ୟ କଟକ ଜିଲ୍ଲା ସୌରୀ ଅଞ୍ଚଳରେ ଦେଖିବାକୁ ମିଳିଛି ।  

ସୌରୀ ଅଞ୍ଚଳର ବୃଦ୍ଧା ବିଦୁଲତା କିଛି ଦିନ ତଳେ ନିଜ ସ୍ୱାମୀଙ୍କୁ ହରାଇ ପୁଅ ବୈକୁଣ୍ଠ ମହାରଣାଙ୍କ ସହ ରହିଆସୁଥିଲେ  । କିନ୍ତୁ ଆଜିକୁ ପ୍ରାୟ ୧୦ ବର୍ଷ ତଳେ ପୁଅ ବୈକୁଣ୍ଠ ମାନସିକ ବିକାରଗ୍ରସ୍ତ ହୋଇ କେଉଁ ଆଡେ ଚାଲିଯାଇଥିଲେ । ହେଲେ କରୋନା ମହାମାରୀରେ ନିଜ ମା ପାଖକୁ ଫେରିଆସିଥିଲେ । ଏତେ ଦିନ ପରେ ପୁଅକୁ ପାଇ ମା ଖୁସି ହୋଇଯାଇଥିଲେ । କିନ୍ତୁ ପୁଅର ମାନସିକ ସ୍ଥିତି ଭଲ ନଥିବାରୁ, ସେ ଘରେ ଶୋଇରହିଛି । ଏକ ଅସମ୍ପୂର୍ଣ୍ଣ ଘରେ ମାଆ-ପୁଅ ଏକାଠି ରୁହନ୍ତି । ପୁଅର ମାନସିକ ସ୍ଥିତି ଭଲ ନଥିବାରୁ  ଯେଉଁଠି ଖାଇବା ସେଇଠି ଶୋଇବା ।

ପୁଅକୁ ଜଗି ମାଆ ମଧ୍ୟ ତା ନିଟକରେ ଶୋଇରହୁନ୍ତି ।  ସକାଳ ହେଲେ ମାକୁ ପେଟ ଚିନ୍ତା ଘାରିଥାଏ । ପେଟରେ ଦାନା ପଡିବାକୁ ବିଧବା ମା ବାର ଦ୍ୱାର ହେବାକୁ ପଡିଥାଏ । ସେପଟେ ପୁଅ ମଧ୍ୟ ମାର ଫେରିବା ବାଟକୁ ଚାହିଁରହିଥାଏ । ମା ଘରକୁ ଫେରିଲେ ପୁଅ ପେଟରେ ଦାନା ପଡିଥାଏ । ଯେତେବେଳେ ପେଟକୁ ଦାନା ପାଇଁ ସଂଘର୍ଷ ଚାଲିଥିବା ବେଳେ ତାର ଚିକିତ୍ସା କଥା କଣ ଚିନ୍ତା କରିବେ । ପରିଣତ ବୟସରେ ନିଜ ମାଆଙ୍କୁ ପୋଷିବା ପରିବର୍ତ୍ତେ , ଭେଣ୍ଡିଆ ପୁଅ ଏବେ ମା ଉପରେ ନିର୍ଭର କରି ବଞ୍ଚିବାକୁ ପଡୁଛି । ଯେଉଁ ବୟସରେ ପୁଅ ମାକୁ ସାହାରା ଦେବା କଥା ସେ ବୟସରେ ମା ଏବେ ନିସହାୟ।

ପୁଅର ଏଭଳି ଅଵସ୍ଥା ଦେଖି ମା ଏବେ ଦୁଃଖ ରେ ଭାଙ୍ଗି ପଡିଛି। ମା ନିଜେ ବଂଚିବା ପାଇଁ ରାହା ଖୋଜୁଥିବା ବେଳେ ପୁଅର ଏଭଳି ଅଵସ୍ଥା ଦେଖି ମା ଭାଙ୍ଗି ପଡିବା ସହ ପୁଅ ଭଲ ହେବା ପାଇଁ ଆକୁଳ ନିବେଦନ କରିଛନ୍ତି । ଏହି ସମୟରେ ସାହିପଡ଼ିଶା ସାହାଯ୍ୟ ସହଯୋଗ ମାନସିକ ବିକାରଗ୍ରସ୍ତ ବୈକୁଣ୍ଠ ଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ସାହାଯ୍ୟ ସହଯୋଗ ପାଇଁ ପଡ଼ୋଶୀ ମଧ୍ୟ ନିବେଦନ କରିଛନ୍ତି। ଯଦି ପ୍ରଶାସନ ଆଉ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ କୋଣସି ମତେ ପୁଅର ଜୀବନ ବଞ୍ଚି ଯାଆନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.