ଡାକ୍ତରଙ୍କ ଅନୁପସ୍ଥିତିରୁ ଜନ୍ମ ହୋଇ ତଳେ ପଡ଼ି ଶିଶୁ ମୃତ, କିଛି ସମୟ ପରେ ଚାଲିଗଲା ମାଆ

Published By : Prameya-News7 Bureau | September 21, 2021 IST

ଝାରସୁଗୁଡା, ୨୧/୦୯: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଆସିଛି ଡାକ୍ତରୀ ଅବହେଳା ଅଭିଯୋଗ । ଡାକ୍ତରଖାନାରେ ରୋଗୀଙ୍କୁ ଅବହେଳା ଯୋଗୁଁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରେ ଜନ୍ମଦାତ୍ରୀ ମାଆର ମଧ୍ୟ ମୃତ୍ୟୁ ହୋଇଛି । ମୃତକ ହେଲେ କିର୍ମିରା ବ୍ଲକ ନକ୍ସାପାଲି ଗାଁର ସୁନିତା ବେହେରା ଓ ତାଙ୍କ ଶିଶୁପୁତ୍ର। ଆଜି ସକାଳୁ ଉଭୟ ମା ଛୁଆଙ୍କ ମୃତ୍ୟୁ ହୋଇଛି ।

ସୋମବାର ଅପରାହ୍ନରେ ନକ୍ସାପାଲି ଗାଁର ପ୍ରଶାନ୍ତ ବେହେରାଙ୍କ ଅନ୍ତଃସତ୍ତ୍ଵା ପତ୍ନୀ ସୁନିତା ବେହେରାଙ୍କୁ ଗ୍ରାମର ଆଶାକର୍ମୀ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଗର୍ଭ ଯନ୍ତ୍ରଣାରେ ଛଟପଟ ସୁନିତାକୁ ଦେଖିବାକୁ କେହି ଡାକ୍ତର ନଥିବାରୁ ନର୍ସଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ସୁନିତା ଗର୍ଭ ଯନ୍ତ୍ରଣା ସହି ନପାରିବାରୁ ତାଙ୍କୁ ଲେବର ରୁମକୁ ନିଆଯିବା ସମୟରେ ଶିଶୁପୁତ୍ରଟିଏ ଜନ୍ମ ହୋଇ ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲା।

ଅଳ୍ପସମୟର ବ୍ୟବଧାନରେ ମା ସୁନିତା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଠିକ ସମୟରେ ଡାକ୍ତରଙ୍କ ଅନୁପସ୍ଥିତି କାରଣରୁ ଉପଯୁକ୍ତ ଚିକିତ୍ସା ମିଳି ପାରିନଥିଲା । ବିଳମ୍ବରେ ଡାକ୍ତର ପହଞ୍ଚି ଚିକିତ୍ସା କରିବା ବେଳକୁ ସୁନିତାର ମୃତ୍ୟୁ ହୋଇ ସାରିଥିଲା । ଉଭୟ ନାବଜାତ ଶିଶୁ ଓ ମାର ମୃତ୍ୟୁକୁ ନେଇ ନକ୍ସାପାଲି ଗାଁରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.