ମା' ର ମମତା : ଦୁର୍ଘଟଣାଗ୍ରସ୍ତ ପୁଅ ପାଖକୁ ୨୫୦କିମି ଦୂରରୁ ଚାଲି ଚାଲି ଆସିଲା ମାଆ, ସାଙ୍ଗରେ ଥିଲା ଛୋଟ ଝିଅ

Published By : Prameya-News7 Bureau | April 14, 2020 IST

କଟକ ୧୪।୦୪: ପୁଅକୁ ଦେଖି୍ବା ପାଇଁ ଲକ୍‌ଡାଉନ୍‌ ସାଜିଲା ବାଧକ । ଦୁର୍ଘଟଣାରେ ଆହାତ ହୋଇ ପୁଅ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଛି । ପୁଅକୁ ଦେଖିବା ପାଇଁ ଯିବାକୁ ବାହାରିଲା ବେଳକୁ ଲକଡାଉନ ବାଧକ । ଯିବାର କୌଣସି ଉପାୟ ନଥିଲା । ଶେଷରେ ସାଙ୍ଗରେ ୭ବର୍ଷର ଝିଅକୁ ଧରି ଦୁଃସାହସିକ ପଦକ୍ଷେପ ନେଇଛନ୍ତି ମାଆ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଚାଲି ଚାଲି ୯ ଦିନ ପରେ କଟକ ପହଞ୍ଚିଛନ୍ତି । ତେବେ ବାରବାଟୀ ନିକଟରେ ଜଣେ ସ୍ୱେଚ୍ଛାସେବୀଙ୍କ ଦୃଷ୍ଟିରେ ପଡ଼ିବା ପରେ ସେ ଉଭୟଙ୍କୁ ନିଜ ଗାଡ଼ିରେ ଉଭୟଙ୍କୁ କଟକ ବଡ଼ମେଡିକାଲ ପଠାଇଥିବା ଜଣାପଡ଼ିଛି ।

ସୁନ୍ଦରଗଡ ଜିଲ୍ଲା ଟେନ୍‌ସା ଅଞ୍ଚଳର ଅମିତ କର ଓ ତାଙ୍କ ପତ୍ନୀ ବବିତା ଅଞ୍ଜଳି କର ମୀନା ବଜାର ସର୍କସ ପାର୍ଟିରେ କାମ କରୁଥିଲେ । ଗତ ୫ବର୍ଷ ତଳେ ସ୍ୱାମୀ ଅମିତଙ୍କର ମୃତ୍ୟୁ ଘଟିଥିଲା । ବବିତା କୋଇଡ଼ା ଅଞ୍ଚଳରେ ଏକ ଚାହା ଦୋକାନ କରି ପୁଅ ସୁନୀଲ ଓ କୁନି ଝିଅକୁ ଧରି ପରିବାର ପ୍ରତିପୋଷଣ କରିୁଥିଲେ । ତେବେ ସୁନୀଲ ୨ବର୍ଷ ହେଲା କେନ୍ଦୁଝରରେ ରହି ଏକ ମୀନାବଜାର ଦୋଳିରେ କାମ କରୁଥିଲେ । ୯ଦିନ ତଳେ ସୁନୀଲଙ୍କର ଦୁର୍ଘଟଣା ଘଟିଥିଲା । ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ବନ୍ଦ ଥିବାରୁ ଝିଅକୁ ସାଙ୍ଗରେ ଧରି ବବିତା ଚାଲିଚାଲି କେନ୍ଦୁଝରରେ ପହଞ୍ଚି ଥିଲେ । ସେଠାରେ ଦୁଇ ଦିନ ରହି ବିଭିନ୍ନ ଡାକ୍ତରଖାନାରେ ପୁଅକୁ ଖୋଜିଥିଲେ । ହେଲେ ପୁଅର ସନ୍ଧାନ ମିଳିନଥିଲା ।

ଶେଷରେ ଜଣାପଡ଼ିଥିଲା ଯେ ସୁନୀଲଙ୍କୁ କଟକ ବଡ଼ମେଡିକାଲ ପଠାଇ ଦିଆଯାଇଛି । ପୁଅକୁ ଦେଖିବାକୁ କଟକ ଯିବା ପାଇଁ ଗାଡ଼ିର ବ୍ୟବସ୍ଥା କରିବାକୁ ବବିତା କେନ୍ଦୁଝର ଥାନାରେ ପହଞ୍ଚି ଗୁହାରୀ କରିଥିଲେ । ହେଲେ କେହି ତାଙ୍କ କଥା ଶୁଣିନଥିଲେ । ସେଠାରୁ ନିରାଶ ହେବା ପରେ ପୁଣି ଝିଅକୁ ଧରି ବବିତା କଟକ ଅଭିମୁଖେ ବାହାରିଥିଲେ । ଆଜି ସକାଳେ ବାରବାଟୀର ରାସ୍ତାକଡ଼ରେ ଏକ ତାଟିଘର ତଳେ ବବିତା ଓ ତାଙ୍କ ଝିଅ ବସିଥିବା ବେଳେ ସେହି ରାସ୍ତା ଦେଇ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ଦୃଷ୍ଟିକୁ ଆସିଥିଲେ । ତାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ମାଆ ଓ ଝିଅଙ୍କୁ କଟକ ଯିବା ପାଇଁ ବ୍ୟବସ୍ଥା କରିଥିଲେ । ତହସିଲଦାର ଓ ଧର୍ମଶାଳା ଥାନାଧିକାରୀଙ୍କୁ ଘଟଣା ସମ୍ପର୍କରେ ହିମାଂଶୁ ଜଣାଇବା ପରେ ତହସିଲ ପକ୍ଷରୁ କଟକ ଯିବା ପାଇଁ ଗାଡ଼ି ପାସ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.