ଲଜ୍ଜା : ଚିକିତ୍ସାଧୀନ ଅବସ୍ଥାରେ ନିଶା ଦେଇ ମା’ ଓ ଝିଅଙ୍କୁ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ
9/01/2020 at 11:31 AM

ସୋର ୯।୧: ବାଲେଶ୍ବର ଜିଲ୍ଲାରେ ଲଜ୍ଜା । ବାଲେଶ୍ବର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଶା ଦେଇ ମା’ ଓ ଝିଅଙ୍କୁ ସେମାନଙ୍କର ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ମା’ ଓ ଝିଅ ଥାନାରେ ଏତଲା ଦେବାପରେ ଘଟଣାରେ ନୂଆ ମୋଡ଼ ଆସିଛି ।
ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୯ରେ ପାରିବାରିକ କଳହ ଯୋଗୁଁ ଖନ୍ତାପଡା ଥାନା ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଗୋଟିଏ ପରିବାରର ସ୍ତ୍ରୀ, ବଡ ଝିଅ ଓ ସାନ ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସାନ ଝଅଙ୍କ ଅବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ବଡ ଝିଅ ଓ ମା’ଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ଗତ ୨୯ ତାରିଖ ରାତିରେ ମୁଖ୍ୟ ଚିକିତ୍ସାଳୟରେ ମା’ ଓ ଝିଅ ଅଚେତ୍ ଥିବାବେଳେ ଯୁବତୀଙ୍କ ବାପା ଓ ମାମୁଁଙ୍କ ସହଯୋଗରେ ପିଉସୀ ପୁଅ ଭାଇ ସେମାନଙ୍କୁ ନିଶାଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଟାଉନ ଥାନାରେ ୩୨୦/୧୯ ନଂ ରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ପୋଲିସ। ପୂର୍ବାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଡ଼ିଏସପି ମନୋଜ କୁମାର ରାଉତ, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ, ଖନ୍ତାପଡ଼ା ଆଇଆଇସି ସଞ୍ଜୟ କୁମାର ପରିଡ଼ା, ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ସହ ଏକ ଟିମ୍ ଘଟଣାର ଅନୁଧ୍ୟାନ ପାଇଁ ପୀଡିତାଙ୍କ ଘର ଗାଁରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ।
ତେବେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ସାହାଯ୍ୟ କରିବାରୁ ଗ୍ରାମର ଏହି ୩ ନିର୍ଦ୍ଦୋଷଙ୍କୁ ଏଭଳି ମିଥ୍ୟା ମାମଲାରେ ଯୋଡ଼ା ଯାଇଛି ଗାଁଲୋକେ କହିଥିଲେ। ଗାଁର ଶତାଧିକ ପୁରୁଷ ଏବଂ ମହିଳା ରୁଣ୍ଡ ହୋଇ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ । ଏମିତିକି ପୋଲିସ ଗାଡି ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ବୁଝାସୁଝା କରିବାରୁ ଗ୍ରାମବାସୀ ଆନ୍ଦୋଳନରୁ ହଟିଥିଲେ ।