କୋଲକାତା ୨୦/୦୯: ପଶ୍ଚିମବଙ୍ଗରୁ ତାନ୍ତ୍ରିକକୁ ସାକ୍ଷାତ କରିବାକୁ ମା-ଝିଅ ଇଣ୍ଟରନ୍ୟାସନାଲ୍ ବର୍ଡର ପାର କରି ବାଂଲାଦେଶରେ ପହଞ୍ଚିଥିଲେ। ସେଠାକାର ଯବାନ ସେମାନଙ୍କୁ ଗିରଫ କରିବା ସହ ଜେଲ୍ରେ ପୂରାଇଦେଇଛି । ପାଖାପାଖି ୧୧ ମାସ ହେଲା ମା-ଝିଅ ବନ୍ଦୀ ହୋଇ ରହିଥିବା ବେଳେ ନଦିଆ ଜିଲ୍ଲା ପ୍ରଶାସନ ମା-ଝିଅଙ୍କୁ ମୁକୁଳାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି।
ମଂସୁର ଅଲି ମଣ୍ଡଳଙ୍କ ଅନୁସାରେ ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅ ହଠାତ ଅସୁସ୍ଥ ହୋଇପଡ଼ିଥିଲା। ମା-ଝିଅ କୃଷ୍ଣଗଞ୍ଜ ବ୍ଲକ ଅନ୍ତର୍ଗତ ବର୍ଣ୍ଣପୁର କୁଲୋପାରାର ବାସିନ୍ଦା। ତେବେ ତାଙ୍କ ଝିଅକୁ କୌଣସି ପ୍ରେତତ୍ମା ନଜର କରିଥିବା ନେଇ ଗ୍ରାମବାସୀ କହିଥିଲେ। ବେନୀପୁରରେ ଥିବା ତାନ୍ତ୍ରିକ ପାଖକୁ ନେଇ ଗଲେ ଝିଅ ଭଲ ହୋଇଯିବ ବୋଲି ପଡ଼ୋଶୀ ପରାମର୍ଶ ଦେଇଥିଲେ। ଏହି ଗାଁ ବାଂଲାଦେଶରେ ସୀମାରେ ରହିଛି।
ତେବେ ପଶ୍ଚିମବଙ୍ଗ ସୀମାରେ ଥିବା କିଛି ଗାଁ ଏବଂ ବାଂଲାଦେଶ ସୀମାରେ କୌଣସି ପ୍ରକାର ପ୍ରତିରୋଧ ନାହିଁ। ଛୋଟ ଛୋଟ ଖୁମ୍ବ ଲାଗିଥିବା ବେଳେ ଲୋକେ ସହଜରେ ସୀମା ପାର କରିପାରୁଛନ୍ତି ବୋଲି ଅଧିକାରୀ କହିଛନ୍ତି। ସେ କହିଛନ୍ତି, ଶୋଭା ଏବଂ ତାଙ୍କ ମା ଗୋଲେବେବି ସୀମା ପାର କରି ଯାଇଥିଲେ। ସେଠାରେ ବଂଲାଦେଶୀ ଯବାନ ତାଙ୍କୁ ଧରିନେଇଥିଲେ। ସେବେଠୁ ମା-ଝିଅ ପଡ଼ୋଶୀ ଦେଶର ଜେଲ୍ରେ ବନ୍ଦ ଅଛନ୍ତି। ଜିଲ୍ଲା ପୋଲିସ ଅଧିକାରୀଙ୍କ ମତରେ, ମା-ଝିଅଙ୍କୁ ଫେରାଇ ଆଣିବା ପାଇଁ ବଂଲାଦେଶୀ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି।