ଘରଭିତରେ ନିଆଁ ଲାଗି ମା ଓ ଦୁଇ ଝିଅ ଜଳିଗଲେ, ସ୍ବାମୀ ଅଟକ

Published By : Prameya-News7 Bureau | February 19, 2019 IST

ଜି.ଉଦୟଗିରି୧୯|୨: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅନ୍ତର୍ଗତ ମଗରଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଆଜି ସକାଳ ୮ଟା ବେଳେ ଘରଭିତରେ ନିଆଁଲାଗି ମା ଓ ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି । ତେବେ ନିଆଁ କେମିତି ଲାଗିଲା ତାହା ଜଣପଡିନାହିଁ । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି ।

{"id":86650,"width":597,"height":328}

ସୂଚନାଯୋଗ୍ୟ ଯେ, ଅଘଟଣ ଘଟିଥିବା ଘରେ ସ୍ବାମୀ ବିମଳ ପ୍ରଧାନ, ସ୍ତ୍ରୀ ଝୁଲିମା ପ୍ରଧାନ(୨୬) ଓ ସେମାନଙ୍କ ଦୁଇ ଝିଅ ସୋନାଲି ପ୍ରଧାନ(୩ବର୍ଷ) ଏବଂ ରୂପାଲି ପ୍ରଧାନ (୯ମାସ) ରହୁଥିଲେ । ବିମଳ ପ୍ରଧାନ ଦିନ ମଜୁରିଆ କାମ କରନ୍ତି । ଆଜି ସକାଳ ୮ଟାବଳେ ବିମଳ ପ୍ରଧାନ ନିକଟସ୍ଥ ପାହାଡକୁ ପଥର ଭାଙ୍ଗିବା ପାଇଁ ଚାଲିଯାଇଥିଲେ । ଏହାର କିଛି ସମୟପରେ ଘରେ ନିଆଁ ଲାଗିଯାଇଥିଲା । ପଡିଶା ଘରେ ରହୁଥିବା ବିମଳଙ୍କ ମାଁ ପ୍ରଥମେ ନିଆଁଲାଗିଥିବା ଦେଖି ଗାଁରେ ଡାକ ପକାଇଥିଲେ । ଗାଁ ଲୋକେ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କଲାବେଳକୁ ଝୁଲିମା ପ୍ରଧାନ ଓ ତାଙ୍କର ଛୋଟ ଛୋଟ ଦୁଇ ଝିଅ ସମ୍ପୂର୍ଣ୍ଣ ପୋଡିଯାଇଥିଲେ ।

{"id":86651}

ଖବରପାଇ ବିମଳ ପ୍ରଧାନ ମଧ୍ୟ ପାହାଡରୁ ଫେରିଥିଲେ । ତେବେ ସେତେବେଳକୁ ସ୍ତ୍ରୀ ଓ ଛୁଆଙ୍କର ମୃତ୍ୟୁ ହୋଇସାରିଥିଲେ । ପୋଲିସ ଘଟଣାସ୍ଥଲରେ ପହଞ୍ଚି ନିଆଁ କିଭଳି ଲାଗିଲା ତାର ଅନୁସଂଧାନ କରିବା ସହ ବିଭିନ୍ନ ଲୋକଙ୍କୁ ପଚରା ଉଚରା କରିଛି । ସ୍ବାମୀ ବିମଳ ପ୍ରଧାନକୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଥିବାବେଳେ ଏହା ପଛରେ ପରକୀୟା ପ୍ରେମ କାରଣ ଥାଇପାରେ ବୋଲି ଆଶଂକା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.