ସୁରକ୍ଷା ବାହିନୀ ଗୁଳିରେ ମୋଷ୍ଟ ୱାଣ୍ଟେଡ୍ ନକ୍ସଲ କମାଣ୍ଡର ସଫା: ଥିଲା ୨୫ଟି ଅପରାଧିକ ମାମଲା

Published By : Prameya-News7 Bureau | June 27, 2021 IST

ରାୟପୁର ୨୭/୦୬ : ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲ କମାଣ୍ଡରକୁ ଛତିଶଗଡ ପୋଲିସ ସଫା କରିଛି। ଏହି ନକ୍ସଲ କମାଣ୍ଡର ଉପରେ ହତ୍ୟା ସମେତ ୨୫ ଟି ଅପରାଧିକ ମାମଲା ରହିଥିଲା। ସୂଚନା ଅନୁଯାୟୀ, ଜିଲ୍ଲା ରିଜର୍ଭ ପୋଲିସ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଛି। ଏହି ସମୟରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ଦିନ ପ୍ରାୟ ସାଢେ ୧୨ଟା ସମୟରେ ପୋରେଡେମର ଏକ ଘଞ୍ଚ ଜଙ୍ଗଲରେ ଏନକାଉଣ୍ଟର ହୋଇଥିଲା। ନକ୍ସଲ ବିରୋଧୀ ଅପରେସନ୍ ସମୟରେ ନକ୍ସଲମାନେ ପୋଲିସ ଉପରକୁ ଲଗାତାର ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଏହା ପରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଜଙ୍ଗଲ ରାୟପୁର ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହିଛି। ନକ୍ସଲମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ଜଣେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ପୋଲିସ ଗୁଳିରେ ସଫା ହୋଇଯାଇଛି। ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି ଯେ ଏହି ଅଞ୍ଚଳରେ ଖୋଜାଖୋଜି ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ନକ୍ସଲଙ୍କ ମୃତଦେହ ମିଳିଥିଲା। ତା ନିକଟରୁ ଏକ ପିସ୍ତଲ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ଜବତ ହୋଇଛି।

ନିହତ ନକ୍ସଲ କମାଣ୍ଡରଙ୍କୁ ନକ୍ସଲମାନଙ୍କ ମାଲାଙ୍ଗୀର କ୍ଷେତ୍ର କମିଟିର ସଦସ୍ୟ ସାନ୍ତୋଶ ମାରକମ ବୋଲି ଜଣାପଡିଛି। ତା ଉପରେ ୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ନକ୍ସଲ ବିରୋଧରେ ଆରୁନପୁର ଥାନାରେ ପ୍ରାୟ ୨୫ ଅପରାଧିକ ମାମଲା ରହିଥିଲା। କିନ୍ତୁ ପ୍ରତ୍ୟେକ ଥର ସେ ଖସି ଫେରାର ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.