ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି କରୋନା, ଦୀର୍ଘସମୟ ପର୍ଯ୍ୟନ୍ତ ରହିବ ବିଶ୍ୱରେ : WHO

Published By : Prameya-News7 Bureau | April 23, 2020 IST

ଜେନେଭା: କୋଭିଡ-୧୯ ଭୂତାଣୁ ବିଶ୍ୱ ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଆମ ସହ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ। ଏବେ ଅଧିକାଂଶ ଦେଶ ମହାମାରୀ ମୁକାବିଲାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି । ଏହା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ  ଟେଡ୍ରୋସ୍ ଆଡାନୋମ ଗେବ୍ରେଏସସ୍।  ବୁଧବାର ଜେନେଭାରେ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରେ ସେ ଏହା କହିଛନ୍ତି।

ଟେଡ୍ରୋସ୍ କହିଛନ୍ତି ଯେ କିଛି ଦେଶ କରୋନା ଉପରେ ନିୟନ୍ତ୍ରଣ ପାଇଥିବାର ଏବେ ଦାବି କରୁଛନ୍ତି। ତେବେ ସଂକ୍ରମଣ ଆଗକୁ ସେମାନଙ୍କ ଲାଗି ଚିନ୍ତାର କାରଣ ହୋଇପାରେ। ଏଥିରେ ଆଫ୍ରିକା ଓ ଆମେରିକା ଲାଗି  ନୋଭେଲ କରୋନା ଭାଇରସ ଏବେ  ଉଦବେଗର କାରଣ ବୋଲି କହିଛନ୍ତି ଟେଡ୍ରୋସ୍ ।  କରୋନା ଲାଗି ସମୟ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାକୁ ଜାତି ସଂଘ ସ୍ୱାସ୍ଥ୍ୟ ସଂସ୍ଥା ଦେଶମାନଙ୍କୁ ଜାନୁୟାରୀ ୩୦ ତାରିଖ ସୁଦ୍ଧା ସତର୍କ କରାଇଥିଲେ। ଏହା ସତ୍ତ୍ୱେ ବୈଶ୍ୱିକ ମହାମାରୀ ନିୟନ୍ତ୍ରଣରେ ବିଫଳତା ଲାଗି ଯୁକ୍ତରାଷ୍ଟ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାଙ୍କୁ  ଦାୟୀ କରିବା ସହ ତୀବ୍ର ଭର୍ତ୍ସନା କରିଥିବା ବେଳେ ତାଙ୍କର ଇସ୍ତଫା ମଧ୍ୟ ଦାବି କରି ଥିବାର ଟେଡ୍ରୋସ୍ କହିଛନ୍ତି।

ପଶ୍ଚିମ ୟୁରୋପୀୟ ଦେଶମାନଙ୍କରେ ମହାମାରୀ ପରିସ୍ଥିତି ଏବେ ସ୍ଥିର ଅଥବା ହ୍ରାସ ପାଉଥିବାର ଟେଡ୍ରୋସ୍ କହିଛନ୍ତି।  ହେଲେ ଆଫ୍ରିକା, ଦକ୍ଷିଣ ଓ କେନ୍ଦ୍ର  ଆମେରିକା ଏବଂ ପୂର୍ବ ୟୁରୋପୀୟ ଦେଶରେ ସଂକ୍ରମଣ ଏବେବି ଉଦବେଗଜନକ ଥିବା ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି। ତେବେ ଭୂତାଣୁ ମୁକାବିଲାରେ ବିଶ୍ୱର ପ୍ରାୟ ରାଷ୍ଟ୍ର ଏବେବି ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଓ ଆଗକୁ ସଂକ୍ରମଣ ଅଧିକ ବୃଦ୍ଧି ପାଇବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଏଣୁ ଯେଉଁମାନେ ଭାବୁଛନ୍ତି ସଂକ୍ରମଣ ନିୟନ୍ତ୍ରିତ ହେଲା ଓ ସବୁ କିଛି ସ୍ୱଭାବିକ ହୋଇଯିବା ତାହା ସେମାନଙ୍କର ଭୁଲଧାରଣା ବୋଲି ଟେଡ୍ରୋସ୍ ସତର୍କ କରାଇଛନ୍ତି।  କାରଣ କରୋନା ଆମକୁ ଏତେ ଶୀଘ୍ର ଛାଡିଯିବା ଭଳି ଭୂତାଣୁ ନୁହେଁ ଓ ଆମସହ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ। ଏଣୁ ସେହି ଅନୁସାରେ ଦେଶମାନଙ୍କୁ ନିଜନିଜର ରଣନୀତି ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ। ବିଶ୍ୱରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨.୫ ନିୟୁତରୁ ବି ଅଧିକା। ସେହିପରି ମୃତକଙ୍କ ସଂଖ୍ୟା ୧ଲକ୍ଷ ୭୫ ହଜାର ପାର କରିସାରିଲାଣି। ଏଥିରେ ଡବ୍ଲୁଏଚଓ ମୁଖ୍ୟଙ୍କ ସତର୍କତା ବିଶ୍ୱ ଲାଗି ପୁଣି ନୂଆ ଚାଲେଞ୍ଜ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.