ବିଶ୍ବର ସବୁଠାରୁ କଞ୍ଜୁସ୍ କୋଟିପତି ମହିଳା : ବର୍ଷକୁ ରୋଜଗାର ୩୯ କୋଟି ଟଙ୍କା, କିନ୍ତୁ ଖାଆନ୍ତି ବିଲେଇ ଖାଦ୍ୟ

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮/୦୧ : କଥାରେ ଅଛି ‘ପୈସା କ୍ୟା ନାକରେ କାମ୍‌’ । ପାଖରେ ଟଙ୍କା, ପଇସା ଧନ ସମ୍ପତ୍ତି ଥିଲେ ମଣିଷ ଅୟସ ଆରାମରେ ରୁହିବାକୁ ଭଲପାଏ । କିନ୍ତୁ କୋଟି କୋଟି ଟଙ୍କା ଥାଇକି ସେହି ମଣିଷ ଖର୍ଚ୍ଚ କରିବା ପାଇଁ କୁଣ୍ଠାବୋଧ କରେ । ଏପରି ଜଣେ ମହିଳା ହେଉଛନ୍ତି ଆମେରିକା ଲସ୍ ଭେଗାସ୍‌ର ଏମି ଏଲିଜାବେଥ୍ ।

ଏମି ଏଲିଜାବେଥ୍ ହେଉଛନ୍ତି ବିଶ୍ବର ସବୁଠାରୁ କଞ୍ଜୁସ୍ କୋଟିପତି ମହିଳା । ଏକଥାକୁ ସେ ନିଜେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ସେ କହିଛନ୍ତି, ‘ମୁଁ କେବେ କୌଣସି ନୂଆ ଜିନିଷ କିଣେ ନାହିଁ । ଖର୍ଚ୍ଚ କମ କରିବା ପାଇଁ ବିଲେଇମାନେ ଖାଉଥିବା ଖାଦ୍ୟ ଖାଇଦିଏ’ ।

ଏମି ଏଲିଜାବେଥ୍‌ଙ୍କର ବାର୍ଷିକ ରୋଜଗାର ହେଉଛି ୫.୩ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୩୮.୭୧ କୋଟି ଟଙ୍କା) । ସେ ଏତେ ଟଙ୍କା ରୋଜଗାର କରି ମଧ୍ୟ ଖର୍ଚ୍ଚ କରିବା ପାଇଁ କୁଣ୍ଠାବୋଧ କରନ୍ତି । ଆମେରିକା ଲସ୍‌ ଭେଗାସ୍‌ର ଏହି ମହିଳା ମାସିକ ଖର୍ଚ୍ଚ କରନ୍ତି ମାତ୍ର ଏକ ହଜାର ଡଲାର (୭୩ ହଜାର ଟଙ୍କା) । ସେ ଏହାକୁ ନିଜର ମାସିକ ବଜେଟ୍‌ ଭାବେ ଧରିନେଇଛନ୍ତି । ଟଙ୍କା ସଞ୍ଚୟ କରିବା ପାଇଁ ସେ ବିଭିନ୍ନ ପନ୍ଥା ଆପଣାଇଛନ୍ତି ।

ତାଙ୍କର କଞ୍ଜୁସି ମନୋଭାବ ଏପରି ଯେ, ବିଦ୍ୟୁତ ବିଲ୍‌ ଉଠିବ ଭାବି ସେ ପାଣି ଗରମ ମଧ୍ୟ କରନ୍ତି ନାହିଁ । ଦିନକୁ ଘଣ୍ଟାରେ ସମୟ ଦେଖି ମାତ୍ର ୨୨ ମିନିଟ୍‌ ପାଇଁ ପାଣି ଗରମ ମେସିନ୍‌ ଲଗାନ୍ତି ଏବଂ ଏହାଠାରୁ ଗୋଟିଏ ମିନିଟ୍‌ ମଧ୍ୟ ଅଧିକ ଲଗାନ୍ତି ନାହିଁ । ଏ ବାବଦରେ ସେ ମାସକୁ ପ୍ରାୟ ୮୦ ଡଲାର ସଞ୍ଚୟ କରନ୍ତି ବୋଲି ନିଜେ କହିଛନ୍ତି ।

ଏମି ଏବେ ନିଜ ସ୍ବାମୀ ମିଚେଲ୍‌ଙ୍କ ଠାରୁ ଛାଡପତ୍ର ପରେ ଅଲଗା ରହୁଛନ୍ତି । ଛାଡପତ୍ର ଦେବା ପରେ ଘରର ସମସ୍ତ ଆସବାବ ପତ୍ର ନିଜେ ସଫା କରିବା ପାଇଁ ଏମିଙ୍କ ସ୍ବାମୀ ମିଚେଲ୍‌ କହିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏମି ମଧ୍ୟ ଏହି ପ୍ରସ୍ତାବରେ ରାଜି ହେବା ସହିତ ଏବାବଦକୁ କିଛି ଡଲାର ବଞ୍ଚିଯାଇଛି ବୋଲି କହିଛନ୍ତି ।

ଆଉ ଏକ ଆଶ୍ଚର୍ଯ୍ୟର କଥା ହେଉଛି ଏମି ଏଲିଜାବେଥ୍‌ ଟଙ୍କା ସଞ୍ଚୟ କରିବା ପାଇଁ ବିଲେଇ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏହା ସହିତ ସେ କହିଛନ୍ତି ଘରକୁ ଯେଉଁ ଅତିଥିମାନେ ଆସନ୍ତି ସେମାନଙ୍କୁ ମଧ୍ୟ ବିଲେଇ ଖାଦ୍ୟ ଖାଇବାକୁ ଦିଅନ୍ତି । ଏତେ କଞ୍ଜୁସି ପରେ ମଧ୍ୟ ସେ କହିଛନ୍ତି, ଲୋକେ କଣ କହୁଛନ୍ତି ତାହାକୁ ସେ ଖାତିର କରନ୍ତି ନାହିଁ । ସେ ଟଙ୍କା ସଞ୍ଚୟ କରିବାକୁ ଭଲ ପାଆନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.