ପଞ୍ଚଭୂତରେ ବିଲୀନ ହେଲେ ପ୍ରଦୀପ ମହାରଥୀ

Published By : Prameya-News7 Bureau | October 04, 2020 IST

ପୁରୀ ୦୪।୧୦: ପୁରୀ ସ୍ବର୍ଗଦ୍ବାରରେ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମହାରଥୀଙ୍କ ପାର୍ଥିବ ଶରୀରକୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି । ସ୍ବର୍ଗଦ୍ବାରରେ ତାଙ୍କୁ ଭଲ ପାଉଥିବା ଲୋକ, ପରିବାର ସଦସ୍ୟ ଏବଂ ବିଭିନ୍ନ ଦଳର ନେତାଙ୍କ ଭିଡ ଜମିଥିଲା । ତାଙ୍କ ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳକୁ ମହାରଥୀଙ୍କୁ ୬୫ବର୍ଷ ବୟସ ହୋଇଥିଲା ।

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁଅ ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚ ସମେତ ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ କ୍ରମଶଃ ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ଗତକାଲି ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲ।। ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥୀଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ତେବେ ସମସ୍ତଙ୍କୁ ପର କରି ପରଲୋକକୁ ଚାଲି ଯାଇଥିଲେ ମହାରଥୀ ।

ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ବର ସ୍ଥିତ ତାଙ୍କ ସରକାରୀ ବାସଭବନ ନିଆଯାଇଥିଲା। ସେଠାରୁ ବିଧାନସଭା ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ମହାରଥୀଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ସେଠାରୁ ପିପିଲି ସ୍ଥିତ ପୈତୃକ ବାସଭବନ ନିଆଯାଇଥିଲା। ସେଠାରେ ପିପିଲି ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟାରେ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.