ଆସିବ ଆଉ ସାଢେ ୧୯ ଲକ୍ଷ ଭାକସିନ୍, ଅଧିକ ଡୋଜ୍ ମିଳୁନଥିବାରୁ ରାଜ୍ୟରେ ଟିକା ସଙ୍କଟ

Published By : Prameya-News7 Bureau | July 15, 2021 IST

ଭୁବନେଶ୍ୱର, ୧୫/୦୭:  ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟକୁ ଆସିବ ଆଉ ପାଖାପାଖି ସାଢେ ୧୯ ଲକ୍ଷ ଟିକା । କୋଭିସିଲ୍ଡର ୧୫ ଲକ୍ଷ ୯୨ ହଜାର ୭୭୦ ଡୋଜ୍‌ ଆଉ କୋଭାକ୍ସିନ୍‌ର ୩ ଲକ୍ଷ ୪୬ ହଜାର ୧୧୦ ଡୋଜ୍‌ । ଏତିକି ଡୋଜ୍‌ ଆସିବାକୁ ଥିବା ବେଳେ ରାଜ୍ୟରେ କିନ୍ତୁ ଅନେକ ଲୋକ ଅନାଇ ବସିଛନ୍ତି ଦ୍ୱିତୀୟ ଡୋଜ୍‌ ପାଇଁ । ଅଧିକ ଲୋକଙ୍କୁ ଟିକା ଦେବାର କ୍ଷମତା ରାଜ୍ୟର ରହିଛି । ତେଣୁ ଅଧିକ ଡୋଜ୍‌ ଟିକା ଦେବାକୁ ପୁଣି ଦାବି ଦୋହରାଇଛି ଓଡ଼ିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବୈଠକରେ ସାମିଲ ହୋଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଧିକ ଟିକା ମିଳୁନଥିବାରୁ ରାଜ୍ୟରେ ସଂକଟ ଦେଖାଯାଇଛି ।

କେନ୍ଦ୍ର କରିଥିବା ସିଡ୍ୟୁଲ୍‌ ଅନୁସାରେ, କୋଭିସିଲ୍ଡ ଟିକା ଆସନ୍ତା ୧୬ ତାରିଖରେ ୩ ଲକ୍ଷ ୩୪ ହଜାର ୫୮୦ ଡୋଜ୍‌, ୧୮ରେ ୨ ଲକ୍ଷ ଡୋଜ୍‌, ୨୪ରେ ୨ ଲକ୍ଷ ୬୮ ହଜାର ୪୧୦, ୨୮ ତାରିଖରେ ୨ ଲକ୍ଷ ୬୭ ହଜାର ୬୬୦ ଡୋଜ୍‌ ଆସିବ । ସମାନ ତାରିଖରେ ଆଉ ୨ ଲକ୍ଷ ୭୫୦ ଡୋଜ୍‌ ଆସିବ । ୩୧ ଜୁଲାଇରେ ୩ ଲକ୍ଷ ୨୧ ହଜାର ୩୭୦ ଡୋଜ୍‌ ଆସିବ । କୋଭାକ୍ସିନ୍‌ ଟିକା ଗତ ୧୩ ତାରିଖରେ ୩୮ ହଜାର ୭୬୦ ଡୋଜ୍‌ ଆସିଛି । ୨୨ ତାରିଖରେ ୩୭ ହଜାର ୫୦୦, ୨୪ରେ ୩୮ ହଜାର ୧୩୦, ୨୭ ତାରିଖରେ ୭୩ ହଜାର ୩୩୦ ଓ ଅଗଷ୍ଟ ୨ ତାରିଖରେ ୧ ଲକ୍ଷ ୫୮ହଜାର ୩୯୦ ଡୋଜ୍‌ ଆସିବ ।

ରାଜ୍ୟରେ ଏବେ ଦିନକୁ ୩ ଲକ୍ଷରୁ ଅଧିକ ଡୋଜ୍‌ ଦିଆଯାଇପାରିବ । ୧୫ ଦିନରେ ୪୦ ଲକ୍ଷରୁ ଅଧିକ ଡୋଜ୍‌ ଦିଆଯାଇପାରିବ ବୋଲି ଯୁକ୍ତି ବାଢିଛି । ବୁଧବାର ୫୬୫ କେନ୍ଦ୍ରରେ ୧ ଲକ୍ଷ ୪୬ ହଜାର ୯୪୭ ଜଣ ଟିକା ନେଇଛନ୍ତି । ୧୭ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌, ୧୪୩ ଜଣ ଦ୍ୱିତୀୟ ଡୋଜ, ୧୦ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌, ୭୦୫ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ୧୮-୪୪ ବର୍ଷର ପ୍ରଥମ ଡୋଜ୍‌ ନେଇଛନ୍ତି ୫୨ ହଜାର ୪୮୨ ଜଣ । ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ୯୨୨୨, ୪୫ ବର୍ଷରୁ ଅଧିକ ବର୍ଷର ୧୯ହଜାର ୫୫୯ ଜଣ ପ୍ରଥମ ଡୋଜ୍‌ ଓ ୬୪ ହଜାର ୮୦୯ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୧ କୋଟି ୩୬ ଲକ୍ଷ ୭ହଜାର ୨୭୪ ଡୋଜ୍‌ ଦିଆସରିଲାଣି ।

ଏବେ ରାଜ୍ୟରେ ମାତ୍ର ୨ ଲକ୍ଷ ୬୨ ହଜାର ୬୦ ଡୋଜ୍‌ କୋଭିସିଲ୍ଡ ଓ ୨ ଲକ୍ଷ ୩୨ ହଜାର ୫୩୦ ଡୋଜ୍‌ କୋଭାକ୍ସିନ୍‌ ମହଜୁଦ୍‌ ରହିଛି । ଆସନ୍ତା କାଲି ୧୦୭୭ କେନ୍ଦ୍ରରେ ଟିକାଦାନ ହେବ । ବାଲେଶ୍ୱର, ଢେଙ୍କାନାଳ ଓ ନବରଙ୍ଗପୁର ଭଳି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.