ରୋଜଗାରିଆଙ୍କୁ କରୋନା ମାଡ , ଜୀବିକା ହରାଇଲେ ୯.୩ କୋଟି ଶ୍ରମିକ

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: କରୋନା ସଙ୍କଟ ମଧ୍ୟରେ ଅନ୍ୟୁନ ୯.୩ କୋଟି ଶ୍ରମିକ ଜୀବିକା ହରାଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ଏହି ଶ୍ରମିକମାନଙ୍କ ତଥ୍ୟ ଏକତ୍ର କରୁଛନ୍ତି । ଏମାନଙ୍କ ସୂଚୀ ସୋମବାର ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଏହାପରେ ଏମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ କାର୍ଯ୍ୟ ଯୋଗାଇ ଦିଆଯିବ ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ୩୦ ଲକ୍ଷ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଛନ୍ତି । ଏହି ଶ୍ରମିକମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ବିଭିନ୍ନ ଯୋଜନା ଅଧୀନରେ ଏ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି ।
ଲକ୍‌ଡାଉନ୍‌ ଯୋଗୁ ଅଣ-ସଙ୍ଗଠିତ କ୍ଷେତ୍ରର ବୃହତ୍‌ ସଂଖ୍ୟକ ଶ୍ରମିକ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ତଥ୍ୟ ମିଳି ନ ଥିବାବେଳେ ତାଲିକା ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି ।

ବିନିର୍ମାଣ, ଆତିଥେୟତା, ପର୍ଯ୍ୟଟନ, ନିର୍ମାଣ, ବାଣିଜ୍ୟ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଓ ଅଟୋମୋବାଇଲ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଗରିବ କଲ୍ୟାଣ ଯୋଜନା ଏବଂ ନିର୍ମାଣ ଯୋଜନାଗୁଡିକରେ ଏହି ଶ୍ରମିକମାନଙ୍କୁ କାର୍ଯ୍ୟ ଦିଆଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଏବଂ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଏହି ଶ୍ରମିକମାନଙ୍କୁ ନିୟୋଜିତ କରାଯାଇପାରେ । କୌଶଳ ଆପ୍‌ ଜରିଆରେ ରାଜ୍ୟଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ ଶ୍ରମ ମନ୍ତ୍ରାଳୟ ଘରୋଇ କମ୍ପାନିଗୁଡିକୁ ବି ପତ୍ର ଲେଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.