୭୨ % ଲୋକଙ୍କ ଭରସା, ଚୀନର ମୁକାବିଲା କରି ପାରିବେ ମୋଦୀ
23/06/2020 at 9:44 PM

ନୂଆଦିଲ୍ଲୀ ୨୩।୦୬: ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ସମଗ୍ର ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ଆଇଏନଏସ ସି-ଭୋଟର ସର୍ବେକ୍ଷେଣରେ ଏହି ତଥ୍ୟ ସାମ୍ନାକୁ ଆସିଛି। ନିକଟରେ କରାଯାଇଥିବା ଆଇଏନଏସ ସିଭିଭୋଟର ସ୍ନାପ ପୋଲ୍ ଅନୁଯାୟୀ ଦେଶରେ ୭୨.୬ ପ୍ରତିଶତ ଲୋକଙ୍କ କହିବା କଥା ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିତିକୁ ସମ୍ଭାଳି ନେବେ।
ଅନ୍ୟପଟେ ୧୬.୨ ପ୍ରତିଶତ ଲୋକଙ୍କ କହିବା କଥା କିଛି ସମୟ ପର୍ଯ୍ୟନ୍ତ ମୋଦୀ ସ୍ଥିତି ସମ୍ଭାଳି ନେବେ। ଆଉ ୧୧.୨ ପ୍ରତିଶତ ଲୋକ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଉପରେ କୌଣସି ଭରସା ପ୍ରକଟ୍ କରି ନାହାନ୍ତି। ଏହି ସର୍ବେକ୍ଷେଣ ବିଭିନ୍ନ ଭୌଗୋଳିକ ପୃଷ୍ଠଭୂମିକୁ ନେଇ ବିଭିନ୍ନ ଆୟ ବର୍ଗ, ବିଭିନ୍ନ ଶିକ୍ଷାସ୍ତରର ଲୋକ, ଅଲଗା ଅଲଗା ଜାତିର ଲୋକଙ୍କ ମଧ୍ୟରେ କରାଯାଇଥିଲା। ଏହି ସର୍ବେକ୍ଷେଣ ଗତ ସପ୍ତାହରେ ଭାରତ ଓ ଚୀନ ମଧ୍ୟରେ ସୀମାରେ ଚାଲିଥିବା ଉତ୍ତେଜନା ସମୟରେ କରାଯାଇଛି। ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ।
ସର୍ବେକ୍ଷେଣରୁ ଜଣା ପଡିଛି ଯେ, ୬୦ ବର୍ଷରୁ ଉର୍ଦ୍ଧ୍ଵ ଲୋକ, କମ୍ ଶିକ୍ଷିତ, ଉଚ୍ଚ ଆୟ ବର୍ଗର ଲୋକ ସୁରକ୍ଷା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସର୍ଭେରେ ଜଣା ପଡିଛି ଯେ, ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସଂଗଠନ(NDA)ର ୮୨.୬ ପ୍ରତିଶତ ମତଦାତା ନିଜର ନିର୍ବାଚିତ ନେତା ଉପରେ ଭରସା ପ୍ରକାଶ କରିଛନ୍ତି।
ଅନ୍ୟପାର୍ଟିକୁ ଭୋଟ୍ ଦେଇଥିବା ଲୋକଙ୍କ ମଧ୍ୟରୁ ୫୧.୧ ପ୍ରତିଶତ ଲୋକ ଭାରତୀୟ ନେତୃତ୍ଵ ଉପରେ ବିଶ୍ଵାସ ପ୍ରକଟ୍ କରିଛନ୍ତି। ଯେଉଁ ଲୋକେ ମୋଦୀ ଚୀନ ସହ ଜାରି ସ୍ଥିତିକୁ ସମ୍ଭାଳିବାରେ ସକ୍ଷମ ନାହାନ୍ତି ସେମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷିତ, ମୁସଲିମ, ଶିଖ ଓ ୨୫ ରୁ ୪୫ ବର୍ଷର ଯୁବ ବର୍ଗ ସାମିଲ।