ରାଜଧାନୀକୁ ମାଡ଼ି ଆସୁଛି ଆହୁରି ବଡ଼ ଚାଷୀ ବ୍ରିଗେଡ, ହୁଲୁସ୍ତୁଲ ହେବ ଦିଲ୍ଲୀ, ବିଗିଡିପାରେ ସ୍ଥିତି
11/12/2020 at 10:13 PM

ମୋଗା ୧୧।୧୨: ନୂଆ କୃଷି ଆଇନ ବିରୋଧରେ ଜାରି ଚାଷୀ ଆନ୍ଦୋଳନ ଆଗାମୀ ଦିନରେ ଆହୁରି ତୀବ୍ର ହୋଇପାରେ। ଆଇନ ପ୍ରତ୍ୟାହାର ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବା ଲାଗି ପଞ୍ଜାବର ବିଭିନ୍ନ ସ୍ଥାନରୁ ଆହୁରି ୫୦ ହଜାରରୁ ଅଧିକ ଚାଷୀ ଖାଦ୍ୟସାମଗ୍ରୀ ଓ ରହଣୀ ବ୍ୟବସ୍ଥା ସହ ୧୨ଶହ ଟ୍ରାକ୍ଟର ଟ୍ରଲିରେ ଦିଲ୍ଲୀ ମୁହାଁଇଥିବା ଜଣାପଡିଛି।
ଶୁକ୍ରବାର ମୋଗାରେ ପହଞ୍ଚିଥିବା ମଜଦୂର ସଂଘର୍ଷ କମିଟିର ପଞ୍ଜାବ ପ୍ରମୁଖ ସତନାମ ସିଂହଙ୍କ ସୂଚନାରୁ ଏହା ଜଣାପଡିଛି। ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନୁନ୍ୟ ୧୨ଶହ ଟ୍ରାକ୍ଚର ଟ୍ରଲିରେ ଅତ୍ୟାବଶକୀୟ ସାମଗ୍ରୀ ଲଦି ୫୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ବାହାରିଛନ୍ତି। ସେମାନେ ଖୁବଶୀଘ୍ର ରାଜଧାନୀରେ ପହଞ୍ଚିବା ପରେ ଜାତୀୟ ରାଜଧାନୀରେ ମେଗା କୃଷକ ଆନ୍ଦୋଳନ ହେବ।
ଦିଲ୍ଲୀ ଆସୁଥିବା ଚାଷୀମାନେ ପ୍ରାୟତଃ ଫିରୋଜପୁର, ଫାଜିଲକା, ଅବହୋର ଓ ଫରୀଦକୋଟରୁ ବାହାରିଛନ୍ତି। ସେମାନେ ଥଣ୍ଡାରୁ ବର୍ତ୍ତିବା ଲାଗି ତାରପୋଲିନ, ଉଷୁମ ବସ୍ତ୍ର ସାଙ୍ଗକୁ ଆଗାମୀ ଦିନମାନଙ୍କ ଲାଗି ଖାଦ୍ୟପଦାର୍ଥ ମଧ୍ୟ ସାଙ୍ଗରେ ନେଇଆସୁଛନ୍ତି। ଲୋକେ ଗାଁ ଗାଁରେ ଚାନ୍ଦା କରି ଚାଷୀଙ୍କୁ ଦିଲ୍ଲୀ ସିଂଘୁ ସୀମାକୁ ପଠାଉଥିବା ସଂଘର୍ଷ କମିଟି ନେତା କହିଛନ୍ତି। ଏଥିରୁ ଚାଷୀଙ୍କ ଯୋଗୁ ରାଜଧାନୀବାସୀଙ୍କ ସମସ୍ୟା ଆଗକୁ ଗୁରୁତର ହେବା ଏକପ୍ରକାର ନିଶ୍ଚିତ ହୋଇଗଲାଣି।