୫୦ରୁ ଅଧିକ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ, ଖୋଲିବାର ପାଞ୍ଚ ଦିନ ପରେ ପୁଣି ବନ୍ଦ ହେଲା ସ୍କୁଲ

Published By : Prameya-News7 Bureau | January 06, 2021 IST

ବେଙ୍ଗାଲୁରୁ ୦୬।୦୧: ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଦୀର୍ଘ ନଅ ମାସ ହେବ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ମହାମାରୀର ପ୍ରକୋପ ନିୟନ୍ତ୍ରଣକୁ ଆସିବା ପରେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ଆରମ୍ଭ ହୋଇଛି। ଏହା ମଧ୍ୟରେ କର୍ଣ୍ଣାଟକରୁ ଆସିଛି ଏକ ବଡ ଖବର। ଏଠାରେ ୫୦ରୁ ଅଧିକ ଶିକ୍ଷକ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଖବର ପରେ ରାଜ୍ୟରେ ସ୍କୁଲ ଗୁଡିକରେ ଆତଙ୍କ ଖେଳି ଯାଇଛି। କର୍ଣ୍ଣାଟକରେ ଜାନୁଆରୀ ୧ରୁ ସ୍କୁଲ ଖୋଲା ଯାଇଥିଲା।

ସୂଚନା ଅନୁଯାୟୀ, ମଙ୍ଗଳବାର ୫୦ ଶିକ୍ଷକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତୁରନ୍ତ ଅନେକ ସ୍କୁଲ ବନ୍ଦ କରାଯାଇଛି। ବେଲାଗାଭିରେ କରୋନା ପଜିଟିଭ୍ ଚିହ୍ନଟ ୨୨ ଶିକ୍ଷକଙ୍କୁ ହୋମ କ୍ଵାରେଣ୍ଟାଇନ୍ କରାଯାଇଛି। ବେଲଗାଭିତ କଦୋଲି ଗାଁର ଜଣେ ଶିକ୍ଷକ କରୋନା ଚିହ୍ନଟ ହେବା ପରେ ସ୍କୁଲକୁ ବନ୍ଦ କରି ଦିଆଯାଇଛି।

ସର୍ବସାଧାରଣ ଶିକ୍ଷା ଉପ ନିର୍ଦ୍ଦେଶକ ଏବି ପୁଣ୍ଡଲିକ କହିଛନ୍ତି ଯେଉଁ ଶିକ୍ଷକଙ୍କଠାରେ ତିଳେ  ମାତ୍ର କରୋନା ଲକ୍ଷଣ ଦେଖିବାକୁ ମିଳିଲେ ତାଙ୍କୁ ସ୍କୁଲ ଆସିବାକୁ ମନା କରାଯାଉଛି। ଯେଉଁ ଶିକ୍ଷକ ସଂପୂର୍ଣ୍ଣ ସୁସ୍ଥ ସେମାନଙ୍କୁ ପାଠ ପଢାଇବାକୁ ଦାୟିତ୍ଵ ଦିଆଯାଉଛି। ଅପରପକ୍ଷେ ଚିତ୍ରଦୁର୍ଗ ଜିଲ୍ଲାର ସାତ ସ୍କୁଲ ବନ୍ଦ କରି ଦିଆଯାଇଛି। ଏଠାରେ ଚାରି ଶିକ୍ଷୟତ୍ରୀ ସହିତ ମୋଟ୍ ଛଅ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିବା ଚିତ୍ରଦୁର୍ଗ ଡିଡିପିଆଇ ରବିଶଙ୍କର ରେଡ୍ଡୀ କହିଛନ୍ତି।

ସ୍ଵାସ୍ଥ୍ୟ ମନ୍ତ୍ରୀ କେ ସୁଧାକର କହିଛନ୍ତି ଏହି ମାମଲାକୁ ନେଇ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଆମେ ଛାତ୍ର-ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା କରିଛୁ। ଶିକ୍ଷକଙ୍କ ମଧ୍ୟ ଧ୍ୟାନ ରଖାଯାଉଛି। ସେ କହିଛନ୍ତି ଦଶମ ଶ୍ରେଣୀରେ ପ୍ରାୟ ୧୦ ଲକ୍ଷ ବିଦ୍ୟାର୍ଥୀ ଅଛନ୍ତି। ଏହା ସ୍ଵାଭାବିକ ଯେ ଶିକ୍ଷାନୁଷ୍ଠାନରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିବା ପରେ ବି କିଛି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହାର ଯାଞ୍ଚ କରାଯାଉଛି। ଯେଉଁମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଆଇସୋଲେଟ୍ କରାଯାଇ ଚିକିତ୍ସା କରାଯାଉଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଲକ୍ଷାଧିକ ଛାତ୍ରଙ୍କ ଭବିଷ୍ୟତ ଏଥିରେ ଜଡିତ ରହିଛି। ମୁଁ ସମସ୍ତଙ୍କୁ ଅପିଲ୍ କରିବାକୁ ଚାହୁଁଛି ଯେ ଆମକୁ ସଂକ୍ରମଣ ବଢାଇବା ଉଚିତ୍ ନୁହେଁ କାରଣ  ଧିରେ ଧିରେ ଆମେ ସ୍ଵାଭାବିକ ସ୍ଥିତିକୁ ଫେରୁଛେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.