ଦେଶରେ ଅଧାରୁ ଅଧିକ ଲୋକଙ୍କ ବୟସ ୨୫ବର୍ଷରୁ ବେଶୀ : ବିହାର,କେରଳ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୪/୭: ଏକ ନୂଆ ଅଧ୍ୟୟନରେ କୁହାଯାଇଛି ଯେ ଭାରତର ଜନସଂଖ୍ୟାର ୫୦ପ୍ରତିଶତରୁ ଅଧିକ ଭାଗ ଏବେ ୨୫ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର। ଭାରତର ମହା ପଞ୍ଜୀୟକ ଏବଂ ଜନଗଣନା ଆୟୁକ୍ତ ଦ୍ବାରା ପ୍ରସ୍ତୁତ ନିକଟରେ ଜାରି ହୋଇଥିବା ନମୁନା ପଞ୍ଜୀକରଣ ତନ୍ତ୍ର ୨୦୧୮ମସିହାରେ କୁହାଯାଇଥିଲା ଯେ ୨୫ବର୍ଷର କମ୍ ବୟସର ଲୋକଙ୍କ ଦେଶରେ ଜନସଂଖ୍ୟା ୪୬.୯ ପ୍ରତିଶତ ରହିଛି। ୨୫ବର୍ଷରୁ କମ୍ ବୟସର ଜନସଂଖ୍ୟାରେ ୪୭.୪ ପ୍ରତିଶତ ପୁରୁଷ ଏବଂ ୪୬.୩ପ୍ରତିଶତ ମହିଳା।

ବିହାର,ଉତ୍ତରପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ଏହି ବୟସର ଜନସଂଖ୍ୟା ସବୁଠୁ ଅଧିକ। ଜନସଂଖ୍ୟା ତୁଳନାରେ ସବୁଠୁ ଅଧିକ ୩.୨ପ୍ରତିଶତ ପ୍ରଜନନ ହାର ସହ ବିହାରରେ ୨୫ବର୍ଷରୁ କମ୍ ବୟସର ଲୋକଙ୍କ ଜନସଂଖ୍ୟା ୫୭.୨ପ୍ରତିଶତ। ଉତ୍ତରପ୍ରଦେଶ​‌ରେ ୨୫ବର୍ଷରୁ କମ୍ ବୟସର ୫୨.୭ପ୍ରତିଶତ ଜନସଂଖ୍ୟା ରହିଛି। ମୋଟ ୨.୯ପ୍ରତିଶତ ସହ ଦେଶରେ ପ୍ରଜନନ ହାର ମାମଲାରେ ଏହା ଦ୍ବିତୀୟ ସ୍ଥାନରେ ରହିଛି। କେରଳରେ ୧.୭ପ୍ରତିଶତ ପ୍ରଜନନ ହାର ସହ ୨୫ବର୍ଷରୁ କମ୍ ୩୭.୪ପ୍ରତିଶତ ଜନସଂଖ୍ୟା ରହିଛି।

ପ୍ରତ୍ୟେକ ମହିଳା ହିସାବରେ ପିଲାଙ୍କ ସଂଖ୍ୟା ଆଧାରରେ ପ୍ରଜନନ ହାରର ଗଣନା କରାଯାଇଥାଏ। ସହର ଅଞ୍ଚଳରେ କମ୍ ପ୍ରଜନନ ହାର କାରଣରୁ ୨୫ବର୍ଷରୁ କମ୍ ବୟସର ଲୋକଙ୍କ ଜନସଂଖ୍ୟା ଗ୍ରାମ୍ୟ ଅଞ୍ଚଳଠାରୁ କମ୍ ଅଟେ। ବିହାର ୨୬.୨ ପ୍ରତିଶତ ସହ ଜନ୍ମ ଦର ମାମଲା​‌ରେ ଶୀର୍ଷରେ ରହିଛି ଏବଂ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ସମୂହରେ ସବୁଠୁ କମ୍ ୧୧.୨ପ୍ରତିଶତ ଜନ୍ମ ହାର ରହିଛି।

ଛତିଶଗଡ଼ରେ ମୃତ୍ୟୁ ହାର ସର୍ବାଧିକ ୮ପ୍ରତିଶତ ଏବଂ ସବୁଠୁ କମ୍ ଦିଲ୍ଲୀରେ ୩.୩ପ୍ରତିଶତ। ଜନ୍ମ ହାରର ଗଣନା ପ୍ରତି ଏକ ହଜାର ଜନସଂଖ୍ୟାରେ କରାଯାଇଥାଏ। ଗତ ୪ଦଶକରୁ ମୃତ୍ୟୁ ହାର ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.