ଉତ୍ତର ପ୍ରଦେଶରେ ହାହାକାର: ଗୋଟିଏ ଦିନରେ ୩୭ ହଜାର ପାର୍, ୨୦୦ ସଂକ୍ରମିତଙ୍କ ମୃତ୍ୟୁ

Published By : Prameya-News7 Bureau | April 23, 2021 IST

ଲକ୍ଷ୍ନୌ ୨୩/୦୪ : ଉତ୍ତର ପ୍ରଦେଶକୁ କରୋନା କଲବଲ କରିଦେଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ ହଜାର ୨୩୮ ନୂଆ ମାମଲାରେ ସାମ୍ନାକୁ ଆସିଛି। ସଂକ୍ରମଣ ଯୋଗୁଁ ଗୋଟିଏ ଦିନରେ ୧୯୯ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଲକ୍ଷ୍ନୌରେ ୫୬୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ ସୂଚନା ଦେଇଛନ୍ତି ଯେ ଗୁରୁବାର ସୁଦ୍ଧା ୨ ଲକ୍ଷ ୨୫ ହଜାର ୨୩୬ ନମୁନା ଯାଞ୍ଚ ହୋଇସାରିଥିଲା। ରାଜ୍ୟରେ ୯୫ ଲକ୍ଷ ୬୪ ହଜାର ୯୦ ଜଣଙ୍କୁ ଭ୍ୟାକସିନର ପ୍ରଥମ ଡୋଜ ଦିଆଯାଇଛି। ୧୮ ଲକ୍ଷ ୭୭ ହଜାର ୨୯୧ ଜଣଙ୍କୁ ଭ୍ୟାକସିନର ଦ୍ୱିତୀୟ ଡୋଜ ଦିଆଯାଇଛି।

ଗତ ୨୪ ଘଣ୍ଟାରେ ୨୨ ହଜାର ୫୬୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୁଖ୍ୟ ଶାସନ ସଚିବ ନବନୀତ କହିଛନ୍ତି ଶୁକ୍ରବାର ରାତି ୮ଟା ରୁ ଷୋମବାର ୭ଟା ଯାଏଁ ସପ୍ତାହନ୍ତ ଲକଡାଉନ ରହିବ। ଶନିବାର ଓ ରବିବାର ସଫେଇ, ସାନିଟାଇଜେସନ ଓ ସର୍ଭିଲାନ୍ସ ଅଭିଯାନ ଚାଲିବ। ଶନିବାର ଦିନ ଟିକାକରଣ ମଧ୍ୟ ଜାରି ରହିବ।

ଦିନେ ପୂର୍ବରୁ ଅର୍ଥାତ ଗୁରୁବାର ଦିନ ଉତ୍ତର ପ୍ରଦେଶରୁ ୩୪ ହଜାର ୩୭୯ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୧୯୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟ ସଚିବ କହିଛନ୍ତି ହୋମ ଆଇସୋଲେସନ ଅବଧିକୁ ଗମ୍ଭୀରତାର ସହ ପାଳନ କରନ୍ତୁ। ସଂକ୍ରମିତ ଅଲଗା ରୁମ ଓ ଶୌଚାଳୟ ବ୍ୟବହାର କରନ୍ତୁ। କେବଳ ସଂକ୍ରମିତ ହିଁ ଗୋଟିଏ ଶୌଚାଳୟ ବ୍ୟବହାର କରନ୍ତୁ। ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ। ସଂକ୍ରମିତ ହେବାର ୧୭ ଦିନ ଯାଏଁ ଘରେ ହିଁ ରୁହନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.