ଆମ୍ରପାଲି ଭିଲେଜରେ ୩୦୦ରୁ ଅଧିକ ଲୋକ କରୋନା ସଂକ୍ରମିତ, ୨୫ ଦିନରେ ଗଲାଣି ୯ ଜଣଙ୍କ ଜୀବନ

Published By : Prameya-News7 Bureau | May 05, 2021 IST

ଗାଜିଆବାଦ ୫।୫: ୟୁପିର ଗାଜିଆବାଦ ଜିଲ୍ଲାର ସାହିବାବାଦର ଇନ୍ଦିରାପୁରମର ଆମ୍ରପାଲି ଭିଲେଜ ସୋସାଇଟିରେ ମଙ୍ଗଳବାର ଅପରାହ୍ନରେ ହୋମ୍ ଆଇସୋଲେସନରେ ରହୁଥିବା ୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା । ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ AOA ଅଧ୍ୟକ୍ଷ ଦୀପକ କୁମାର ଲଗାତର ସୋସିଆଲ ମିଡିଆରେ ସାହାଯ୍ୟ ମାଗୁଥିଲେ । ସେ ଏହି ସୂଚନା ଏଡିଏମ୍ ବିନୟ କୁମାରଙ୍କୁ ମଧ୍ୟ ହ୍ବାଟସ୍ ଆପ୍ ଜରିଆରେ ଦେଇଥିଲେ । ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନଥିଲା । ଆମ୍ରପାଲି ଭିଲେଜରେ ଆରଡବ୍ଲ୍ୟୁଏ ଅଧ୍ୟକ୍ଷ ଦୀପକ କୁମାର କହିଛନ୍ତି ଯେ, ଅପ୍ରେଲ ୨୧ ପର୍ଯ୍ୟନ୍ତ ସୋସାଇଟିରେ ୧୨୦ ଜଣ ସଂକ୍ରମିତ ହୋଇଥିଲେ । ଏବେ ସୋସାଇଟିରେ ୩୦୦ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ସୋସାଇଟି ସଭାପତି ଦୀପକ କୁମାର କହିଛନ୍ତି ଯେ, ସୋସାଇଟିରେ ପ୍ରାୟ ୧୦୦୦ ଫ୍ଲାଟ୍ ଅଛି । ସୋସାଇଟିରେ ଲଗାତର ସଂକ୍ରମଣ ବୃଦ୍ଧି ପାଉଛି । ସୋସାଇଟିରେ ସଂକ୍ରମଣ ସ୍ଥିତି ଚିନ୍ତାଜନକ । ଅପ୍ରେଲ ୧୦ ତାରିଖରୁ ଜଣେ ଦୋକାନୀଙ୍କ ସମେତ ସୋସାଇଟିର ୯ ବାସିନ୍ଦାଙ୍କ ମୃତ୍ୟୁ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଇନ୍ଦିରାପୁରମ୍ ସ୍ଥିତ ଆମ୍ରପାଲି ଭିଲେଜ ସୋସାଇଟିକୁ ସୋମବାର ଜିଲ୍ଲା ପ୍ରଶାସନ ସିଲ୍ କରିଛି । ସୋସାଇଟିରେ ଆବଶ୍ୟକ ସେବା ଜାରି ରହିବ । କିନ୍ତୁ ସୋସାଇଟିରେ ଲୋକଙ୍କ ଚଳପ୍ରଚଳ ବନ୍ଦ କରାଯାଇଛି । ଲୋକଙ୍କୁ କ୍ଷୀର ଏବଂ ତେଜରାତି, ରୁଟି ଇତ୍ୟାଦି ଯୋଗାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.