ସାଙ୍ଘାତିକ ହେଉଛି କରୋନା ସ୍ଥିତି: କେବଳ ଜୁନ ମାସରେ ୩ ଲକ୍ଷରୁ ଅଧିକ ସଂକ୍ରମଣର ଶିକାର, ଗଲାଣି ୧୦ ହଜାରରୁ ଅଧିକ ଜୀବନ

Published By : Prameya-News7 Bureau | June 27, 2020 IST

ନୂଆଦିଲ୍ଲୀ ୨୭।୦୬: ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୫ ଲକ୍ଷ ୯ ହଜାରରେ ପହଞ୍ଚିଛି। ଏଥିରୁ କେବଳ ୩ ଲକ୍ଷ ୧୮ ହଜାରରୁ ଅଧିକ ଲୋକ ଜୁନ୍‌ ମାସରେ ହିଁ କରୋନା ସଂକ୍ରମିତ ହୋଇଛନ୍ତି। ଏପ୍ରିଲ ମାସରେ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୩୩,୪୦୬ ଥିବା ବେଳେ ମେ ମାସରେ ୧, ୫୫, ୪୯୨ ଏବଂ ଜୁନ୍ ମାସରେ ୩,୧୮,୪୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏପ୍ରିଲ ମାସରେ କୋଭିଡ୍-୧୯ ସଂକ୍ରମଣରେ ୧୧୦୯ ଜଣ ପ୍ରାଣ ହରାଇଛନ୍ତି। ମେ ମାସରେ ୪,୨୪୭ ଓ ଜୁନ୍ ମାସରେ ୧୦,୨୯୧ ଜଣ ମାରାତ୍ମକ କରୋନା ଭାଇରସ୍‌ରେ ମୃତ୍ୟୁମୁଖରେ ପଡିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସକାଳେ ଜାରି ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୫,୦୮,୯୫୩ରେ ପହଞ୍ଚିଛି। ଏଥିରେ ଶେଷ ୬ ଦିନରେ ପ୍ରାୟ ୯୯ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫,୬୮୫ ରହିଛି। ମୃତ୍ୟୁହାର ଏପ୍ରିଲ ୧ରେ ୨.୩୨ ପ୍ରତିଶତରୁ ବଢି ଆଜି ସକାଳ ସୁଦ୍ଧା ୩.୦୮ ପ୍ରତିଶତରେ ପହଞ୍ଚିଛି।

ତଥ୍ୟ ଅନୁଯାୟୀ ଏପ୍ରିଲ ମାସରେ ପ୍ରତି ଦିନ ହାରାହାରି ୧୧୧୪ ଜଣ କୋଭିଡ୍-୧୯ ସଂକ୍ରମିତ ହୋଇଥିବା ବେଳେ ୩୭ ଜଣଙ୍କ ପ୍ରାଣହାନୀ ଘଟିଛି। ମେ ମାସରେ ପ୍ରତି ଦିନ ୧୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୧୧୬ ଜଣ ସଂକ୍ରମିତ ହୋଇଛନ୍ତି। ଜୁନ୍ ମାସରେ ଏହି ହାର ବଢି ପ୍ରତିଦିନ ୩୯୬ ଜଣ ପ୍ରାଣ ହରାଇଥିବା ବେଳେ ୧୨,୨୪୭ ଜଣ ସଂକ୍ରମଣର ଶିକାର  ହେଉଛନ୍ତି।

ଦେଶରେ କରୋନା ସଂକ୍ରମିତ ସଂଖ୍ୟା ମେ ୧୯ରେ ଏକ ଲକ୍ଷ ଛୁଇଁଥିଲା। ଏକ ଲକ୍ଷରୁ ଦୁଇ ଲକ୍ଷରେ ପହଞ୍ଚିବା ଲାଗି ୧୪ ଦିନର ସମୟ ଲାଗିଥିଲା ଏବଂ ଜୁନ୍ ୩ରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲା। ଏହାର ୧୦ ଦିନ ପରେ ଜୁନ୍ ୧୩ରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିଥିଲା। ପରବର୍ତ୍ତୀ ଆଠ ଦିନରେ ଜୁନ୍ ୨୧ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ହୋଇଥିଲା। ଏବେ ଚାରିରୁ ପାଞ୍ଚ ଲକ୍ଷ ହେବା ପାଇଁ ମାତ୍ର ୬ ଦିନ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.